ଚାଷୀ ଆନ୍ଦୋଳନକୁ ୧୧ ମାସ ପୂର୍ତ୍ତି, ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍)ର ଆଜି ଦେଶବ୍ୟାପୀ ବିକ୍ଷୋଭ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନର ୧୧ ମାସ ପୂର୍ତ୍ତି ଅବସରରେ ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍) ଆଜି ଦିନ ୧୧ ଟାରୁ ୨ଟା ପର୍ଯ୍ୟନ୍ତ ତହସିଲ ଏବଂ ଜିଲ୍ଲା ମୁଖ୍ୟାଳୟରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆହ୍ବାନ ଦେଇଛି। ଲକ୍ଷ୍ମୀପୁର ଖେରୀ ଘଟଣା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ଗିରଫ ଓ ବରଖାସ୍ତ ଦାବିକୁ ଜୋରଦାର କରିବା ପାଇଁ ଏହି ଆନ୍ଦୋଳନ ଡ଼ାକରା ଦିଆଯାଇଛି ବୋଲି ଏସକେଏମ୍ କହିଛି ।

ଜିଲ୍ଲା କଲେକ୍ଟର / ମାଜିଷ୍ଟ୍ରେଟଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହ ଏହି ବିକ୍ଷୋଭ ଶେଷ ହେବ ବୋଲି ଏସଏମକେ କହିଛି ।

ଅକ୍ଟୋବର ୩ରେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ହୋଇଥିବା ହିଂସାରେ ଚାରି ଜଣ କୃଷକଙ୍କ ସମେତ ମୋଟ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଟେନିଙ୍କ ପୁଅ ଆଶିଷ ମିଶ୍ର ଏବଂ ଅନ୍ୟ ୧୨ ଜଣଙ୍କୁ ଗିରଫ କରାଯାଇଛି। ଏହି ହିଂସା ପାଇଁ ସ୍ଥାନୀୟ କୃଷକ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ କୁମାର ମିଶ୍ର ‘ଟେନି’ ଏବଂ ତାଙ୍କ ପୁଅକୁ ଦାୟୀ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଲକ୍ଷ୍ମୀପୁର ଖେରୀରେ ଆଶିଷ ମିଶ୍ରଙ୍କ ଗାଡ଼ି ଚାଷୀଙ୍କୁ ଦଳି ଦେଇ ଚାଲିଯାଇଥିବା ଅଭିଯୋଗ ହୋଇଥିଲା।

Comments are closed.