କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବରଖାସ୍ତ ଦାବିରେ ଆଜି ସଂଯୁକ୍ତ କିସାନ୍ ମୋର୍ଚ୍ଚାର ରେଳ ରୋକ ଆନ୍ଦୋଳନ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ହିଂସା ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ ଓ ଗିରଫ ଦାବିରେ ସଂଯୁକ୍ତ କିସାନ୍ ମୋର୍ଚ୍ଚା ଆଜି (ସକାଳ ୧୦ ରୁ ସନ୍ଧ୍ୟା ୬ ଟା) ସାରା ଦେଶରେ ରେଳ ରୋକୋ ଆନ୍ଦୋଳନର ଡ଼ାକରା ଦେଇଛି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ ନକରିବା ପର୍ଯ୍ୟନ୍ତ ଲକ୍ଷ୍ମୀପୁର ମାମଲାରେ ନ୍ୟାୟଯୁକ୍ତ ତଦନ୍ତ କରାଯାଇପାରିବ ନାହିଁ । ମିଶ୍ରଙ୍କୁ କ୍ୟାବିନେଟରୁ ହଟାଇବା ପରେ ତାଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ସଂଗଠନର ନେତାମାନେ ଦାବି କରିଛନ୍ତି। ମୋର୍ଚ୍ଚା ଲାଖୀପୁର ମାମଲାକୁ ଏକ ନରସଂହାର ବୋଲି କହିଛି।

ସଂଯୁକ୍ତ କିସାନ୍ ମୋର୍ଚ୍ଚାର ରେଳ ରୋକ ଆନ୍ଦୋଳନ ଯୋଗୁଁ ଉତ୍ତର ଭାରତରେ ରେଳ ସେବା ଅଧିକ ପ୍ରଭାବିତ ହୋଇପାରେ । ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ସଂଯୁକ୍ତ କିସାନ୍ ମୋର୍ଚ୍ଚା ସୂଚନା ଦେଇଛନ୍ତି ଯେ ଲକ୍ଷ୍ମୀପୁର ଖେରୀରେ ମୃତ କୃଷକଙ୍କ ଅସ୍ଥି ସହ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ ଏବଂ ଅନ୍ୟାନ୍ୟ ରାଜ୍ୟରେ କଳଶ ଯାତ୍ରା କରାଯାଉଛି। ଏହି ଯାତ୍ରାରେ ବହୁ ସଂଖ୍ୟକ ଲୋକ ସ୍ବତଃ ଯୋଗ ଦେଉଛନ୍ତି ବୋଲି ମୋର୍ଚ୍ଚା କହିଛି | ରେଳ ରୋକୋ ଆନ୍ଦୋଳନ ପରେ ମଧ୍ୟ ଯଦି ସେମାନଙ୍କର ଦାବି ପୂରଣ ନହୁଏ ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କୃଷକ ନେତାମାନେ ଚେତାବନୀ ଦେଇଛନ୍ତି।

Comments are closed.