ସରବଜିତ ସିଂଙ୍କ ଭଉଣୀ ଦଲବୀର କୌରଙ୍କ ପରଲୋକ, ପାକିସ୍ତାନ ଜେଲରୁ ଭାଇଙ୍କୁ ମୁକୁଳାଇବା ପାଇଁ ଚଳାଇଥିଲେ ସଂଗ୍ରାମ

ଅମୃତସର: ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ୧୯୯୧ରେ ପାକିସ୍ତାନରେ ଗିରଫ ହୋଇଥିବା ଭାରତୀୟ ନାଗରିକ ସରବଜିତ ସିଂଙ୍କ ଭଉଣୀ ଦଲବୀର କୌରଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ସରବଜିତଙ୍କ ମୁକ୍ତି ପାଇଁ ଦଲବୀର କୌର ଦୀର୍ଘ ବର୍ଷ ଧରି ସଂଗ୍ରାମ ଚଳାଇଥିଲେ । କିନ୍ତୁ ୨୦୧୩ରେ ସରବଜିତଙ୍କ ଲାହୋର ଜେଲରେ ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ, ଦଲବୀର କୌର ବିଳମ୍ବିତ ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଅନ୍ତିମ ସଂସ୍କାର ରବିବାର ପଞ୍ଜାବର ଭିକିୱିଣ୍ଡରେ ଅନୁଷ୍ଠିତ ହେବ।

ଉଲ୍ଲେଖଯୋଗ୍ୟ, ଭାରତୀୟ ନାଗରିକ ସରବଜିତ୍ ସିଂ ଭୁଲବଶତଃ ୩୦ ଅଗଷ୍ଟ ୧୯୯୦ରେ ପାକିସ୍ତାନ ସୀମାରେ ପହଞ୍ଚି ଯାଇଥିଲେ । ସେଠାରେ ପାକିସ୍ତାନୀ ସେନା ତାଙ୍କୁ ଗୁପ୍ତଚର ସନ୍ଦେହରେ ବନ୍ଦୀ କରିଥିଲେ। ଲାହୋର ଏବଂ ଫୈସଲାବାଦରେ ବୋମା ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ୧୯୯୧ରେ ପାକିସ୍ତାନର ଏକ କୋର୍ଟ ସରବଜିତଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ତେବେ ଭାରତ ଏହାର ତୀବ୍ର ବିରୋଧ କରିଥିଲା । ଏହା ଏକ ଭୁଲ ପରିଚୟର ମାମଲା ବୋଲି ଭାରତ କହିଥିଲା । ୨୦୦୮ରେ ସରବଜିତଙ୍କ ଫାଶୀ ଅନିର୍ଦ୍ଦିଷ୍ଟ କାଳ ସ୍ଥଗିତ ରହିଥିଲା | ସରବଜିତ ପାକିସ୍ତାନର ରାଷ୍ଟ୍ରପତିଙ୍କ ନିକଟରେ ରଜକ୍ଷମା ଆବେଦନ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ମେ ୨୦୧୩ରେ ଲାହୋରର କୋଟ ଲଖପତ୍ ଜେଲର କିଛି ଅନ୍ତେବାସୀ ସରବଜିତଙ୍କ ଉପରେ ଆକ୍ରମଣ କରିଥିଲେ । ଗୁରୁତର ସରବଜିତଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା।

ସରବଜିତଙ୍କ ଏହି ମାମଲା ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ପ୍ରସଙ୍ଗ ଭାରତ ଏବଂ ପାକିସ୍ତାନ ସରକାର ସ୍ତରରେ ମଧ୍ୟ ଉଠାଯାଇଥିଲା। ଏଥିପାଇଁ ସରବଜିତଙ୍କ ଭଉଣୀ ଦଲବୀର କୌର ଏକ ଲମ୍ବା ଲଢ଼େଇ ଜାରି ରଖିଥିଲେ । ୨୦୧୯ ନିର୍ବାଚନରେ ଦଲବୀର ହରିୟାଣାର ସିର୍ସା ଠାରୁ ଲୋକସଭା ନିର୍ବାଚନ ​​ଲଢିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ବିଜେପିକୁ ପତ୍ର ଲେଖିଥିଲେ । ୨୦୧୬ରେ ଦଲବୀର ବିଜେପିରେ ଯୋଗ ଦେଇଥିଲେ। ସେ ତାଙ୍କ ଭାଇ ସରବଜିତଙ୍କୁ ଜେଲରୁ ମୁକୁଳାଇବା ପାଇଁ ସଂଗ୍ରାମ ସମୟରେ ୨୦୦୫ରେ ବିଜେପି ସହ ଯୋଗାଯୋଗ କରିଥିଲେ। ସରବଜିତଙ୍କ ଜୀବନ ଉପରେ ଏକ ବଲିଉଡ ଫିଲ୍ମ ମଧ୍ୟ ନିର୍ମିତ ହୋଇଥିଲା । ଏଥିରେ ସରବଜିତଙ୍କ ଚରିତ୍ରରେ ରଣଦୀପ ହୁଡା ଏବଂ ଦଲବୀର କୌରଙ୍କ ଭୂମିକାରେ ଐଶ୍ୱର୍ଯ୍ୟା ରାୟ ଅଭିନୟ କରିଥିଲେ।

Comments are closed.