ଉତ୍ତର ପ୍ରଦେଶର ସମସ୍ତ ୬ଟି ମାମଲାରେ ମହମ୍ମଦ ଜୁବେରଙ୍କୁ ଜାମିନ, ତୁରନ୍ତ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜ୍ ସହ ପ୍ରତିଷ୍ଠାତା ତଥା ଫ୍ୟାକ୍ଟ ଚେକର୍ ମହମ୍ମଦ ଜୁବେରଙ୍କୁ ଉତ୍ତର ପ୍ରଦେଶର ସମସ୍ତ ୬ଟି ଯାକ ମାମଲାରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ତାଙ୍କ ବିରୋଧରେ ରୁଜୁ ୬ଟି ଯାକ ମାମଲା ରଦ୍ଦ କରିବାକୁ ଜୁବେରଙ୍କ ଅନୁରୋଧକୁ ସୁପ୍ରିମକୋର୍ଟ ଗ୍ରହଣ କରିନାହାଁନ୍ତି । ସୁପ୍ରିମକୋର୍ଟ ଜୁବେରଙ୍କ ବିରୋଧରେ ଉତ୍ତର ପ୍ରଦେଶରେ ରୁଜୁ ହୋଇଥିବା ସମସ୍ତ ମାମଲା ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏଥି ସହିତ ଜୁବେରଙ୍କ ବିରୋଧରେ ଗଠିତ ୟୁପିର ଏସ୍ଆଇଟି ମଧ୍ୟ ଭଙ୍ଗ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜୁବେରଙ୍କ ବିରୋଧରେ କୌଣସି ନୂଆ ମାମଲା ରୁଜୁ ହେଲେ ମଧ୍ୟ ତାଙ୍କୁ ଗିରଫରୁ ସୁରକ୍ଷା କାଏମ ରହିବ । ସେ ଚାହିଁଲେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିପାରିବେ ଏବଂ ମାମଲା ରଦ୍ଦ ପାଇଁ ଦାବି କରିପାରିବେ।

ଧାର୍ମିକ ଭାବନାକୁ ଆଘାତ ଅଭିଯୋଗରେ ମହମ୍ମଦ ଜୁବେରଙ୍କ ବିରୋଧରେ ଉତ୍ତର ପ୍ରଦେଶର ବିଭିନ୍ନ ଥାନାରେ ୬ଟି ମାମଲା ରୁଜୁ ହୋଇଥିଲା ।

କୋର୍ଟ କହିଛନ୍ତି ଯେ ବର୍ତ୍ତମାନ ଜୁବେରଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଦିଲ୍ଲୀ ପୋଲିସ କରିବ ଏବଂ ଏହି ମାମଲା ଦିଲ୍ଲୀ ହାଇକୋର୍ଟଙ୍କ ଅଧୀନରେ ରହିବ।

Comments are closed.