ମହମ୍ମଦ ଜୁବେରଙ୍କୁ ସୁପ୍ରିମକୋର୍ଟ ଦେଲେ ଅନ୍ତରୀଣ ଜାମିନ, କିନ୍ତୁ..

ନୂଆଦିଲ୍ଲୀ: ଫ୍ୟାକ୍ଟ ଚେକର ତଥା ଅଲ୍ଟ ନ୍ୟୁଜ୍ ସହପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି। ତାଙ୍କ ଆବେଦନ ଶୁଣାଣି କରି ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ସୀତାପୁରରେ ରୁଜୁ ହୋଇଥିବା ମାମଲାରେ ମହମ୍ମଦ ଜୁବେରଙ୍କୁ ପାଞ୍ଚ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତେବେ ମହମ୍ମଦ ଜୁବେର ବର୍ତ୍ତମାନ ଜେଲରୁ ବାହାରି ପାରିବେ ନାହିଁ। ଅନ୍ୟ ଏକ ମାମଲାରେ ସେ ଦିଲ୍ଲୀ ପୋଲିସ ହାଜତରେ ରହିବେ।

ଶୁକ୍ରବାର ଅନୁଷ୍ଠିତ ଶୁଣାଣି ସମୟରେ ଜଷ୍ଟିସ ଇନ୍ଦିରା ବାନାର୍ଜୀ ୟୁପି ସରକାର ଏବଂ ପୋଲିସକୁ ନୋଟିସ ଜାରି କରିଥିବାବେଳେ ଜୁବେରଙ୍କୁ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଉଛି ବୋଲି କହିଛନ୍ତି। ଜୁବେର କିନ୍ତୁ ସୀତାପୁର ଅଧୀନ ନ୍ୟାୟିକ କ୍ଷେତ୍ର ବାହାରକୁ ଯାଇପାରିବେ ନାହିଁ | ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଜୁବେର କୌଣସି ଟୁଇଟ୍ କରିବେ ନାହିଁ। ଅନ୍ୟପକ୍ଷରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ମଧ୍ୟ କୋର୍ଟ ଏହାକୁ ଗ୍ରହଣ କରିନାହାଁନ୍ତି।

ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଫ୍ୟାକ୍ଟ ଚେକର ତଥା ଅଲ୍ଟ ନ୍ୟୁଜ୍ ସହପ୍ରତିଷ୍ଠାତା ମହମ୍ମଦ ଜୁବେର ଗୁରୁବାର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ତାଙ୍କ ଆବେଦନପତ୍ରରେ ଧାର୍ମିକ ଭାବନାକୁ ଆଘାତ ଦେବା ମାମଲାରେ ଉତ୍ତରପ୍ରଦେଶ ପୋଲିସ ତାଙ୍କ ବିରୋଧରେ ରୁଜୁ କରିଥିବା ଏଫଆଇଆର ବାତିଲ କରିବାକୁ ଦାବି କରିଥିଲେ । ଜୁନ୍ ୧୩ରେ ଆହ୍ଲାବାଦ ହାଇକୋର୍ଟ ଜୁବେରଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜୁନ୍ ୨୭ରେ ମହମ୍ମଦ ଜୁବେରଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ।

Comments are closed.