ଅନିଲ ଦେଶମୁଖଙ୍କ ବିରୋଧରେ ଅଭିଯୋଗ ଗୁରୁତର ବୋଲି କହିଲେ ସୁପ୍ରିମକୋର୍ଟ, ହାଇକୋର୍ଟ ଯିବାକୁ ପରମବୀରଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରି ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂହ ଦାୟର କରିଥିବା ପିଟିସନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଦେଶମୁଖଙ୍କ ବିରୋଧରେ ପରମବୀର କରିଥିବା ଅଭିଯୋଗ ଗୁରୁତର ବୋଲି କହି ଉଚ୍ଚତମ ନ୍ୟାୟାଳୟ ଏହି ପୋଲିସ ଅଧିକାରୀଙ୍କୁ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି । ନିଜ ପିଟିସନ ପ୍ରତ୍ୟାହାର କରିବାକୁ ପରମବୀରଙ୍କୁ କୋର୍ଟ ଅନୁମତି ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ପରମବୀର । ‘ଆଣ୍ଟିଲିଆ’ ମାମଲାରେ ଗିରଫ ହୋଇଥିବା ପୋଲିସ ଇନ୍ସିପେକ୍ଟର ସଚିନ ବାଜେଙ୍କୁ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ ଦେଶମୁଖ ଟାର୍ଗେଟ୍ ଦେଇଥିଲେ । ପୋଲିସ୍ ଅଧିକାରୀଙ୍କ ବଦଳିରେ ବି ଦେଶମୁଖ ମୋଟା ଲାଞ୍ଚ ନେଉଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ । ଏହି ସବୁ ଅଭିଯୋଗର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଥିଲେ । ଏଡାଛଡ଼ା ମୁମ୍ବାଇ ପୋଲିସ୍ କମିଶନର ପଦବୀରୁ ତାଙ୍କୁ ବଦଳି କରିବା ସମ୍ପର୍କିତ ବିଜ୍ଞପ୍ତି ଉପରେ ରୋକ୍ ଲଗାଇବାକୁ ପରମବୀର ନିଜ ପିଟିସନରେ ଦାବି କରିଥିଲେ ।

ଆଣ୍ଟିଲିଆ ମାମଲାରେ ପରମବୀରଙ୍କୁ ମୁମ୍ବାଇ ପୋଲିସ୍ କମିଶନର ପଦରୁ ହଟାଇ ଦିଆଯାଇଥିଲା । ଦେଶମୁଖଙ୍କ ଦୁର୍ନୀତିର ସିବିଆଇ ତଦନ୍ତ ଏବଂ ତାଙ୍କ ବଦଳି ଉପରେ ରୋକ୍ ଲଗାଇବାକୁ ଦାବି କରି ସେ ସୋମବାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

Comments are closed.