ଏସସିବିରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ପାଇଁ ୩୫୦୦ କୋଟି, ୨୦୨୪ ଜାନୁଆରୀ ସୁଦ୍ଧା କାର୍ଯ୍ୟ ସାରିବାକୁ ନବୀନଙ୍କ ନର୍ଦ୍ଦେଶ

ଏମସ ପ୍ଲସ , ସରକାରୀ ସ୍ତରରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ପାଇଁ ଦେଶର ସର୍ବବୃହତ ପ୍ରକଳ୍ପ

ଭୁବନେଶ୍ୱର:ସ୍ବାସ୍ଥ୍ୟ ସେବା ପାଇଁ ଓଡିଶାବାସୀଙ୍କର ବିଶ୍ବାସର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜର ନବକଳେବର ହେବ । ସେଥିପାଇଁ ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ସମ୍ମାଜଜନକ ଅନୁଷ୍ଠାନକୁ ଏକ ବିଶ୍ବସ୍ତରୀୟ ଚିକିତ୍ସା ଅନୁଷ୍ଠାନ ଭାବରେ ବିକଶିତ କରିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ୫ – ଟି ଅଧୀନରେ କାର୍ଯ୍ୟକାରୀ କରାଯିବ ।

ସାଧାରଣ ଲୋକଙ୍କୁ ମିଳିବ ଉନ୍ନତ ଚିକିତ୍ସା ସେବା । ଲକ୍ଷ୍ୟ , ଏମସ ପ୍ଲସ ଚିକିତ୍ସା ସୁବିଧା। ଏହି ଯୋଜନାରେ ଭିତ୍ତିଭୂମିର ବିକାଶ ସହିତ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଅଣାଯିବ , ଯାହା କି ୫-ଟି କାର୍ଯ୍ୟକ୍ରମର ମୁଖ୍ୟ ଆଧାର । ୨୦୨୧ରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ନୂଆ ସଂକେତ ଦେଉଛି । ମେଡିକାଲ କଲେଜ ଓ ହସ୍‌ପିଟାଲ ପାଇଁ ସରକାରୀ ସ୍ତରରେ ଏହା ଦେଶର ସର୍ବ ବୃହତ ପ୍ରକଳ୍ପ । ୫୦୦୦ ଶଯ୍ୟା ସହିତ ଡାକ୍ତର , ରୋଗୀ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ହେବ ।

୧୯୪୪ ମସିହାରେ ସ୍ଥାପିତ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ ଦୀର୍ଘ ଦିନ ଧରି ଓଡିଶା ସମେତ ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଲୋକମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବାରେ ସୁନାମ ରହିଛି । ଏଠାରେ ପଢିଥିବା ଡାକ୍ତରମାନେ ସେମାନଙ୍କର ଦକ୍ଷତା ଦ୍ବାରା ସାରା ବିଶ୍ୱରେ ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ଦେଶରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏହି ମର୍ଯ୍ୟାଦାଜନକ ଅନୁଷ୍ଠାନକୁ ଏକ ବିଶ୍ବସ୍ତରୀୟ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କର ୫ – ଟି କାର୍ଯ୍ୟକ୍ରମ ଅଧୀନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣିବା ଲକ୍ଷ୍ୟ ନେଇ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ରୋଗୀମାନଙ୍କୁ ସୁଲଭ ତଥା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ଏକ ଉଦାହରଣ ହୋଇ ରହିବ ବୋଲି ଆଶା କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଜନସାଧାରଣ ସୁଲଭ ତଥା ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ପାଅନ୍ତୁ । ଲକ୍ଷ୍ୟ , ଓଡିଶାର ଲୋକ ଏହିଠାରେ ହିଁ ଉନ୍ନତ ଚିକିତ୍ସା ପାଇପାରିବେ । ବହୁ ଓଡିଆ ଡାକ୍ତର ଦେଶ ବିଦେଶରେ ବିକିତ୍ସା ସେବା ଯୋଗାଇ ସୁନାମ କରିଛନ୍ତି । ସେମାନେ ଯେପରି ସେମାନଙ୍କ ଜନ୍ମ ମାଟିରେ ସେମାନଙ୍କ ଦକ୍ଷତାକୁ ଓଡିଶାବାସୀଙ୍କ ସେବାରେ ଲଗାଇ ପାରିବେ , ସେଥିପାଇଁ ମଧ୍ୟ ଏକ ଉତ୍ତମ ପରିବେଶ ସୃଷ୍ଟି କରାଯିବ ବୋଲି।କହିଛନ୍ତି ନବୀନ । ଏହି ପ୍ରକଳ୍ପକୁ ସେ ନିଜେ ବ୍ୟକ୍ତିଗତ ଭାବରେ ତଦାରଖ କରୁଛନ୍ତି । ସମସ୍ତଙ୍କର ସହଯୋଗରେ ଏହି ଅନୁଷ୍ଠାନ ଦିନେ ଦେଶର ଶ୍ରେଷ୍ଠ ୩ଟି ଚିକିତ୍ସା ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବାରେ ସଫଳ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ୧୭୫ ଏକର ଜମିରେ ବିକଶିତ ହେବାକୁ ଥିବା ଏକ ମର୍ଯ୍ୟାଦାଜନକ ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ଶଯ୍ୟ ସଂଖ୍ୟା ୩୫୦୦ କରାଯିବ ଏବଂ ଦ୍ବିତୀୟ ପର୍ଯ୍ୟୟରେ ଏହାକୁ ୫୦୦୦କୁ ବୃଦ୍ଧି କରାଯିବ । ୩ ବର୍ଷରେ ସଂପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପରେ ଡାକ୍ତର , ରୋଗୀ , ରୋଗୀଙ୍କ ସହାୟକ , ସ୍ବାସ୍ଥ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ ।

ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହିତ ପରିବହନ ବ୍ୟବସ୍ଥା , ଆଧୁନିକ ରେଷ୍ଟ୍ରରେଣ୍ଟ , ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ । ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ଅଧିକ ୨୨୦୦ ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା କରାଯିବ । ଏହି ହସ୍ପିଟାଲର ଉନ୍ନତି ସହିତ କ୍ରୀଡା ଓ ମନୋରଞ୍ଜନ ପାଇଁ ମଧ୍ୟ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ଏହି ମେଡିକାଲ କଲେଜ ହସ୍‌ପିଟାଲର ସୁପରିଚାଳନା ପାଇଁ ଏକ ସ୍ବାଧୀନ ପରିଚାଳନା ମଣ୍ଡଳୀ ରହିବ ଯାହାକି , ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହିତ ଚିକିତ୍ସା , ଶିକ୍ଷା ଓ ଗବେଷଣାର ମାନ ବୃଦ୍ଧି ପାଇଁ କାମ କରିବ ।

ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର , ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫ – ଟି ) ଭି.କେ ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପୂର୍ତ୍ତ ସଚିବ ପ୍ରକଳ୍ପ ସଂପର୍କରେ ବିସ୍ତୃତ ଉପସ୍ଥାପନା ରଖିଥିଲେ ।

Comments are closed.