ଶାହରୁଖ ଖାନଙ୍କ ପୁଅ ବୋଲି ଆର୍ୟନଙ୍କୁ ଟାର୍ଗେଟ୍ କରାଯାଉଛି: ଶତ୍ରୁଘ୍ନ ସିହ୍ନା

ମୁମ୍ବାଇ: କ୍ରୁଜ୍ ଜାହଜାରେ ଡ୍ରଗ୍ସ ପାର୍ଟି ମାମଲାରେ ପୁଅ ଆର୍ୟନ ଖାନ୍ ଗିରଫ ହେବା ପରଠୁ ସୁପରଷ୍ଟାର ଶାହରୁଖ ଖାନ୍ ଓ ତାଙ୍କ ପରିବାରକୁ ବଲିଉଡ୍‌ର ସେଲିବ୍ରିଟିଙ୍କ ସମର୍ଥନର ସୁଅ ଛୁଟିଛି । ଏବେ ଭେଟେରାନ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ପ୍ରଥମ ଥର ଏହି ଘଟଣାରେ ମୁହଁ ଖୋଲି ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ, ଶାହାରୁଖ ଖାନ୍‌ଙ୍କ ପୁଅ ହୋଇଥିବାରୁ ଆର‌୍ୟନଙ୍କୁ ଜାଣିଶୁଣି ଏହି ମାମଲାରେ ଟାର୍ଗେଟ୍ କରାଯାଉଛି ।

ଡ୍ରଗ୍ସ ପାର୍ଟି ମାମଲାରେ ଅକ୍ଟୋବର ୩ରେ ଆର‌୍ୟନଙ୍କୁ ଏନ୍‌ସିବି ଗିରଫ କରିଥିଲା । ଦୁଇ ଥର ଜାମିନ୍ ଆବେଦନ ଖାରଜ ହେବା ପରେ ଆର‌୍ୟନ ସପ୍ତାହରୁ ଊର୍ଦ୍ଧ୍ୱ କାଳ ଧରି ମୁମ୍ବାଇର ଆର୍ଥର ଜେଲ୍ ରୋଡ୍‌ରେ ଅଛନ୍ତି । ଆଜି ପୁଣି ତାଙ୍କ ଜାମିନ ଆବେଦନର ଶୁଣାଣି ହେବ ।

ଶାହାରୁଖ ଖାନଙ୍କୁ ସମର୍ଥନ ଜଣାଇ ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ, ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍ ଏକାଠି ହେବାକୁ ବିଳମ୍ବ କରିଛି । ବୋଧେ ସେମାନେ ଶାହରୁଖ ଏକାକୀ ଏହି ମାମଲା ଲଢ଼ନ୍ତୁ ବୋଲି ସେମାନେ ଚାହୁଁଛନ୍ତି । ତେବେ ଶାହରୁଖଙ୍କ ଧର୍ମ ପାଇଁ ତାଙ୍କୁ ଟାର୍ଗେଟ୍ କରାଯାଇଥିବା ଅଭିଯୋଗକୁ ଶତ୍ରୁଘ୍ନ ମାନିବାକୁ ନାରାଜ । ଶାହରୁଖ ଜଣେ ବଡ଼ ସେଲିବ୍ରିଟି । ଏଥିପାଇଁ ତାଙ୍କ ପୁଅ ଆର‌୍ୟନକୁ ଟାର୍ଗେଟ୍ କରାଯାଉଛି । ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ମୁନମୁନ୍ ଧମେଚା ଓ ଅର୍ବାଜ ମର୍ଚ୍ଚାଣ୍ଟଙ୍କ ବିଷୟରେ ଅଧିକ ଚର୍ଚ୍ଚା ହେଉନଥିବା ବେଳେ ଆର‌୍ୟନଙ୍କ ଉପରେ ଅଧିକ ଫୋକସ୍ କାହିଁକି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

Comments are closed.