କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସିଦ୍ଧରମୈୟା

ବେଙ୍ଗାଲୁରୁ: ସିଦ୍ଧରମୈୟାଙ୍କ ନେତୃତ୍ବରେ କର୍ଣ୍ଣାଟକରେ ଶନିବାର କଂଗ୍ରେସ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହାଛଡ଼ା କିଛି ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ମଧ୍ୟ ଯୋଗଦେବେ ।

ବେଙ୍ଗାଲୁରୁର କାନ୍ତିର୍ବା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଶାସିତ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ବିରୋଧୀ ଦଳ ନେତା ମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ବହୁଜନ ସମାଜ ପାର୍ଟି ନେତା ମାୟାବତୀ ଏହି ଶପଥ ଗ୍ରହଣ ଉତ୍ସବରୁ ଦୂରେଇ ରହିବେ। ସମ୍ଭବତଃ କଂଗ୍ରେସ ଦଳ ବିରୋଧରେ ପୂର୍ବ ଘୋଷିତ ଷ୍ଟାଣ୍ଡ ଯୋଗୁଁ ସେମାନଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ।

ଶପଥ ଗ୍ରହଣ ଉତ୍ସବରେ ଶରଦ ପାୱାର (ଏନସିପି), ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆରଜେଡି ନେତା ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଉଦ୍ଧବ ଠାକରେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ସିପିଆଇ ନେତା ଡି ରାଜା, ସିପିଏମ ନେତା ସୀତାରାମ ୟେଚୁରୀ, ଅଭିନେତା-ରାଜନେତା କମଲ ହସନ ପ୍ରମୁଖ ନେତା ଯୋଗଦେବେ ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ଏହି ଶପଥଗ୍ରହଣ ଉତ୍ସବରେ ଯୋଗଦେବେ କି ନାହିଁ ଜଣାପଡ଼ି ନାହିଁ ।

କଂଗ୍ରେସର ସମସ୍ତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (ରାଜସ୍ଥାନ), ଭୁପେଶ ବାଘେଲ (ଛତିଶଗଡ) ଏବଂ ସୁଖବିନ୍ଦର ସିଂ ସୁଖୁ (ହିମାଚଳ ପ୍ରଦେଶ) ମଧ୍ୟ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି।

୭୫ ବର୍ଷୀୟ ସିଦ୍ଧରମୈୟା ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ। ପୂର୍ବରୁ ସେ ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ ।

ରାଜ୍ୟର ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମେ ୧୦ରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ୧୩୫ଟି ଆସନ ଜିତିଥିଲା । ଶାସକ ବିଜେପି ୬୬ ଏବଂ ଜେଡିଏସ୍ ୧୯ଟି ଆସନରେ ବିଜୟୀ ହୋଇଥିଲେ ।

Comments are closed.