ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି ଲାଗୁ

କଲମ୍ବୋ: ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପୁଣି ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି। ଦେଶରେ ରାଜନୈତିକ ଅସ୍ଥିରତା ସାଙ୍ଗକୁ ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଶୁକ୍ରବାର ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି, ଯାହା ମଧ୍ୟରାତ୍ରିରୁ ଲାଗୁହୋଇଛି। ଏବେ ସରକାର ବିରୋଧୀ ଆନ୍ଦୋଳନକାରୀଙ୍କ ଉପରେ ଶ୍ରୀଲଙ୍କା ସେନା ବଳ ପ୍ରୟୋଗ କରିପାରିବ। ପାଞ୍ଚ ସପ୍ତାହ ମଧ୍ୟରେ ଦେଶରେ ଦ୍ବିତୀୟ ଥର ଜରୁରୀ ପରିସ୍ଥିତି ଲାଗୁ ହୋଇଛି ।

ଶ୍ରମିକ ସଙ୍ଗଠନଗୁଡ଼ିକ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଶୁକ୍ରବାର ଦେଶବ୍ୟାପୀ ଧର୍ମଘଟ କରିଥିଲେ। ଫଳରେ ଦେଶ ଏକପ୍ରକାର ଅଚଳ ହୋଇଯାଇଥିଲା। ଏଥିପାଇଁ ରାଷ୍ଟ୍ରପତି କଠୋର ଆଇନ ଲାଗୁ କରିଥିବା ତାଙ୍କର ଜଣେ ମୁଖପାତ୍ର କହିଛନ୍ତି। ଇତିମଧ୍ୟରେ ଶ୍ରୀଲଙ୍କା ପାର୍ଲାମେଣ୍ଟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବିକ୍ଷୋଭରତ ଛାତ୍ରୀଛାତ୍ରଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ପୁଣି ଲୁହବୁହା ବାଷ୍ପ ଓ ୱାଟର କ୍ୟାନନ୍ ପ୍ରୟୋଗ କରିଛି। ମାସ ମାସ ଧରି ବିଦ୍ୟୁତ୍ କାଟ୍ ସହ ଖାଦ୍ୟ, ଇନ୍ଧନ, ଔଷଧ ଅଭାବ ଲାଗିରହିଥିବାରୁ ଦ୍ବୀପରାଷ୍ଟ୍ରର ୨୨ ନିୟୁତ ଲୋକ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସଙ୍କଟର ମୁକାବିଲା ଲାଗି ସରକାରଙ୍କ ବିଫଳତାକୁ ଦାୟୀ କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେଙ୍କ ଇସ୍ତଫା ଦାବିରେ ଜନାକ୍ରୋଶ ବଢ଼ିବାରେ ଲାଗିଛି। ହଜାର ହଜାର ଛାତ୍ରୀଛାତ୍ର ପାର୍ଲାମେଣ୍ଟ ରାସ୍ତାରେ ଧାରଣା ଦେଇଛନ୍ତି। ହେଲେ ଦୁଇଭାଇଙ୍କ ମଧ୍ୟରୁ କେହି ପଦ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ପ୍ରକାଶ ଯେ, ୫୧ ବିଲିୟନ୍‌ ବିଦେଶୀ ଋଣ ଶୁଝି ନ ପାରି ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିଥିଲା। ଆଗକୁ ଅନ୍ୟୁନ ଦୁଇବର୍ଷ ଏଭଳି ଆର୍ଥିକ ଦୁରବସ୍ଥା ଭୋଗିବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ ଅଲୀ ସବୁ ଦେଶବାସୀଙ୍କୁ ସତର୍କ କରାଇଛନ୍ତି।

Comments are closed.