ପୁରା ସହରକୁ ଅଣନିଃଶ୍ବାସୀ କରି ରଖିଛ, ରାଜପଥ ଅବରୋଧ ନେଇ କୃଷକ ସଂଗଠନ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଜନ୍ତର ମନ୍ତର ଠାରେ ଧାରଣା ଦେବାକୁ ଅନୁମତି ମାଗିଥିବା କୃଷକ ମହାପଞ୍ଚାୟତ ନାମକ କୃଷକ ସଂଗଠନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ ଆପଣଙ୍କର ବିରୋଧ କରିବାର ଅଧିକାର ଅଛି, କିନ୍ତୁ ଆପଣ ଅନ୍ୟମାନଙ୍କର ସମ୍ପତ୍ତି ନଷ୍ଟ କରିପାରିବେ ନାହିଁ। ଗୋଟିଏ ପଟେ ଆପଣ ପୁରା ସହରକୁ ଅଣନିଃଶ୍ବାସୀ କରି ରଖିଛନ୍ତି ଏବଂ ଏବେ ସହରରେ ଧାରଣା ଦେବାକୁ ଦାବି କରୁଛନ୍ତି। ଲୋକମାନଙ୍କର ମଧ୍ୟ ଅଧିକାର ଅଛି | ଆପଣ ନ୍ୟାୟିକ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି କି? ଆପଣ ରାଜପଥକୁ ଅବରୋଧ କରୁଛନ୍ତି ପୁଣି ନିଜ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ବୋଲି କହୁଛନ୍ତି |

ଜନ୍ତର ମନ୍ତରରେ ଧାରଣାରେ ବସିବା ପାଇଁ କୃଷକଙ୍କ ଅନୁମତି ଦାବିରେ ସୁପ୍ରିମକୋର୍ଟ ପାଲଟା ପ୍ରଶ୍ନ କରିଛନ୍ତି ପଚାରିଛନ୍ତି ଆପଣମାନଙ୍କ ପାଇଁ ସହରର ଲୋକମାନେ କ’ଣ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେବେ କି? ଲୋକମାନେ ସହରର ଧାରଣାରେ ଖୁସି ହେବେ କି? ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆପଣ ସୁରକ୍ଷା କର୍ମୀଙ୍କୁ ମଧ୍ୟ ହଇରାଣ କରୁଛନ୍ତି। ନାଗରିକମାନଙ୍କର ମଧ୍ୟ ଯାତାୟାତର ଅଧିକାର ଅଛି | ଥରେ ଆପଣ କୋର୍ଟକୁ ଯିବାକୁ ମନସ୍ଥ କରିସାରିବା ପରେ ବିରୋଧର ଆବଶ୍ୟକତା କ’ଣ?

ଜଷ୍ଟିସ୍ ଏମ୍ ଖାନୱିଲକର ଏବଂ ଜଷ୍ଟିସ୍ ସିଟି ରବିକୁମାରଙ୍କ ଏକ ଖଣ୍ଡପୀଠ ଆବେଦନକାରୀଙ୍କ କପି ସରକାରଙ୍କୁ ଦେବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୪ରେ ହେବ।

ଜନ୍ତର ମନ୍ତ୍ରରରେ ଧାରଣାରେ ବସିବା ପାଇଁ ଅନୁମତି ମାଗୁଥିବା ଏକ ସଂଗଠନ କିସାନ ମହାପାଞ୍ଚାୟତକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସେମାନେ ବିରୋଧ ପ୍ରଦର୍ଶନ ଯୋଗୁଁ ରାଜପଥ ଯେଭଳି ଅବରୋଧ ନ ହେବ ସେଥିପାଇଁ ଏକ ସତ୍ୟପାଠ ଦାଖଲ କରାଯାଉ ।

Comments are closed.