ୟୁନିଟେକ୍ ର ପୂର୍ବତନ ପ୍ରମୋଟର ସଞ୍ଜୟ ଏବଂ ଅଜୟଙ୍କୁ ତିହାର୍ ଜେଲରୁ ତୁରନ୍ତ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୟୁନିଟେକ୍ ର ପୂର୍ବତନ ପ୍ରମୋଟର ସଞ୍ଜୟ ଚନ୍ଦ୍ର ଏବଂ ଅଜୟ ଚନ୍ଦ୍ରଙ୍କୁ ତିହାର ଜେଲରୁ ତୁରନ୍ତ ଆର୍ଥର ରୋଡ ଜେଲ ଏବଂ ମୁମ୍ବାଇର ତାଲୋଜା ସେଣ୍ଟର ଜେଲକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିହାର ଜେଲ୍ ପରିସରରେ ସଞ୍ଜୟ ଓ ଅଜୟ ଜେଲ୍ କର୍ତ୍ତୃପକ୍ଷଙ୍କ ସହଯୋଗରେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିଲେ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଷ୍ଟାଟସ୍ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଉଭୟଙ୍କୁ ତିହାର ଜେଲରୁ ସ୍ଥାନାନ୍ତର କରିବା ପାଇଁ ଆଦେଶ ଦେଇଛନ୍ତି ।

ଅସନ୍ତୋଷ ବ୍ୟକ୍ତ କରି କୋର୍ଟ କହିଛନ୍ତି ଯେ ଆଇନ ସହ ଖେଳିବା ବରଦାସ୍ତ କରାଯିବ ନାହିଁ। ଏହି ମାମଲାରେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଭୂମିକାର ତଦନ୍ତ କରିବାକୁ ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ କହିଛନ୍ତି ଯେ ସଞ୍ଜୟ ଚନ୍ଦ୍ର ଏବଂ ଅଜୟ ଚନ୍ଦ୍ର ଜେଲରେ କୌଣସି ଅତିରିକ୍ତ ସୁବିଧା ପାଇବେ ନାହିଁ।

ସୂଚନାଯୋଗ୍ୟ ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୫ ଏପ୍ରିଲ, ୧୬ ଅଗଷ୍ଟ ୨୦୨୧ରେ ଦୁଇଟି ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା । ଏଥିରେ କୁହାଯାଇଥିଲା ଯେ ଉଭୟ ସଞ୍ଜୟ ଚନ୍ଦ୍ର ଏବଂ ଅଜୟ ଚନ୍ଦ୍ର ଜେଲ୍ ପରିସରକୁ ବେଆଇନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଛନ୍ତି | ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ପାଇଁ ତିହାର କମ୍ପ୍ଲେକ୍ସ ବ୍ୟବହୃତ ହୋଇଥିଲା | ଏଥିରେ ତିହାର ଜେଲର କିଛି କର୍ମଚାରୀ ମଧ୍ୟ ସାମିଲ ଥିଲେ। ଏହାଛଡ଼ା ଜାମିନ କିମ୍ବା ପାରୋଲରେ ଆସିଲେ ଉଭୟ ଦିଲ୍ଲୀରେ ଥିବା ସେମାନଙ୍କ ଏକ ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟାଳୟରେ ରହୁଥିଲେ, ଯେଉଁଠି ସେମାନେ ନିଜ ବ୍ୟବସାୟ ସମ୍ପର୍କିତ ବୈଠକ କରୁଥିଲେ ।

Comments are closed.