ଆଜି ପେଗାସସ୍ ମାମଲାରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପେଗାସସ୍ ମାମଲାରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ । ଏହି ପ୍ରସଙ୍ଗରେ ନିରପେକ୍ଷ ବିଶେଷଜ୍ଞ କମିଟି ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ। ଏହାକୁ ଆବେଦନକାରୀମାନେ ବିରୋଧ କରିଥିଲେ। ସୁପ୍ରିମକୋର୍ଟ ନିଜ ପକ୍ଷରୁ ଏକ କମିଟି ଗଠନ କରିବେ ବୋଲି ସଙ୍କେତ ଦେଇଥିଲେ ।

ସେପ୍ଟେମ୍ବର ୨୩ରେ ଏହି ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏନ.ଭି ରମନ୍ନା କହିଥିଲେ ଯେ ସେ ଏକ କମିଟି ଗଠନ କରିବାକୁ ଚାହୁଁଛନ୍ତି। କିଛି ବିଶେଷଜ୍ଞ ବ୍ୟକ୍ତିଗତ କାରଣରୁ କମିଟିରେ ଯୋଗଦେବାକୁ ସେମାନଙ୍କର ଅକ୍ଷମତା ପ୍ରକାଶ କରିଛନ୍ତି। ଏହି କାରଣରୁ ଆଦେଶ ଦେବାରେ ବିଳମ୍ବ ହେଉଛି |
ପେଗାସସ୍ ମାମଲାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ୧୫ଟି ଆବେଦନ ବିଚାରାଧୀନ ଅଛି। ବରିଷ୍ଠ ସାମ୍ବାଦିକ ଏନ୍ ରାମ, ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ସମେତ ଅନେକ ଜଣାଶୁଣା ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଛି।
ପେଗାସସ୍ ସ୍ପାଏଓ୍ବେର ମାଧ୍ୟମରେ କେନ୍ଦ୍ର ସରକାର ରାଜନେତା, ସାମ୍ବାଦିକ, ପୂର୍ବତନ ବିଚାରପତି ଏବଂ ସାଧାରଣ ନାଗରିକଙ୍କ ଫୋନ୍ ହ୍ୟାକିଂ କରି ସେମାନଙ୍କ ଉପରେ ଗୁଇନ୍ଦାଗିରି କରିଥିବା ଅଭିଯୋଗ ହୋଇଥିଲା। ସେପ୍ଟେମ୍ବର ୧୩ରେ ସୁପ୍ରିମକୋର୍ଟ ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ। ଶୁଣାଣି ସମୟରେ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ ଯେଉଁଥିରେ ସରକାରଙ୍କର କୌଣସି ବ୍ୟକ୍ତି ରହିବେ ନାହିଁ। ଏହି କମିଟି କୋର୍ଟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ ଏବଂ କୋର୍ଟକୁ ରିପୋର୍ଟ ଦେବ। ତେବେ ଆବେଦନକାରୀ ଏହାକୁ ବିରୋଧ କରି କୋର୍ଟ ତତ୍ତ୍ଵାବଧାନରେ କମିଟି ଗଠନ କରିବାକୁ ଦାବି କରିଥିଲେ।

Comments are closed.