ଟି-୨୦ ବିଶ୍ୱକପ୍: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ, ବିରାଟ ବାହିନୀ ପାଇଁ କର ବା ମର ସ୍ଥିତି

ଦୁବାଇ: ଆଇସିସି ଟି୨୦ ବିଶ୍ୱକପରେ ରବିବାର ଭାରତ ନିଜ ଦ୍ୱିତୀୟ ସୁପର-୧୨ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ । ଉଭୟ ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ପରାସ୍ତ ହୋଇଥିବା ବେଳେ ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ସେମିଫାଇନାଲ୍ ଦୌଡ଼ରେ ରହିବା ପାଇଁ ଏହି ମ୍ୟାଚରେ ଉଭୟ ଦଳକୁ ବିଜୟ ଜରୁରୀ । ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ଏହା ଏକପ୍ରକାର ନକ୍ ଆଉଟ୍ ମ୍ୟାଚ୍ ହେବ ।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ବିରାଟ କୋହଲିଙ୍କ ନେତୃତ୍ୱ ଦକ୍ଷତାର ଆଉ ଏକ କଡ଼ା ପରୀକ୍ଷା । ଗତ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ୧୦ ୱିକେଟରେ ଶୋଚନୀୟ ପରାଜୟ ପରେ କୋହଲିଙ୍କ ଦଳ ଚାପରେ ରହିଛି । ଷ୍ଟ୍ରିଟ୍ ସ୍ମାର୍ଟ କ୍ରିକେଟ୍ ପାଇଁ ପରିଚିତ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳକୁ ନିଜର ରଣନୀତି ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ପଡ଼ିବ । ବିଶେଷକରି ପ୍ରତ୍ୟେକ ଖେଳାଳିଙ୍କ ଭୂମିକା କଣ ହେବ ସେନେଇ ଭାରତକୁ ସ୍ପଷ୍ଟ ହେବାକୁ ପଡ଼ିବ । ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ସର୍ବଦା ଭାରତକୁ ଅସୁବିଧାରେ ପକାଇଛି । ଏହି କଥା ଭାରତୀୟ ଦଳ ଭୁଲି ଯିବା ଠିକ ହେବ ନାହିଁ । ବିଶେଷକରି ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସାଉଦି ଏଭଳି ବଡ଼ ମ୍ୟାଚ ଗୁଡିକରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ପାଣି ପିଆଇଛନ୍ତି । ନ୍ୟୁଜିଲାଣ୍ଡର ଏହି ଦୁଇ ପେସ୍ ବୋଲରଙ୍କ ପ୍ରତି ଭାରତକୁ ସତର୍କ ରହିବାକୁ ହେବ ।

ନ୍ୟୁଜିଲାଣ୍ଡର ସବୁଠୁ ବଡ଼ ଦୁର୍ବଳତା ହେଉଛି ବ୍ୟାଟିଂ । ଅଧିନାୟକ କେନ୍ ୱିଲିୟମସନ୍ ୧୦୦% ଫିଟ୍ ନୁହଁନ୍ତି । ଓପନର ମାର୍ଟିନ୍ ଗପ୍ଟିଲଙ୍କ ପାଦରେ ମଧ୍ୟ ଆଘାତ ଲାଗିଛି । ଗତ କିଛି ସମୟ ଧରି ନ୍ୟୁଜିଲାଣ୍ଡର ବ୍ୟାଟିଂ ସଂଘର୍ଷ କରୁଛି । ନ୍ୟୁଜିଲାଣ୍ଡର ଏହି ଦୁର୍ବଳତାର ଫାଇଦା ଉଠାଇବା ଲକ୍ଷ୍ୟରେ ରହିବ ଭାରତ । ପାକିସ୍ତାନ ବିପକ୍ଷରେ ଦିଗହରା ପ୍ରଦର୍ଶନ ପରେ ଭାରତୀୟ ବୋଲରଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ରଣନୀତିକୁ ସଠିକ୍ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାରଙ୍କ ଫର୍ମ ଓ ଫିଟନେସ୍ ଚିନ୍ତାର କାରଣ ହୋଇଛି । ଏହି ଦୁଇ ଖେଳାଳି ଭାରତୀୟ ଦଳର ଦୁଇ ଦୁର୍ବଳତା ଭାବେ ଗଣାଯାଉଛି । ପିଠି ସମସ୍ୟା ପରେ ହାର୍ଦ୍ଦିକ ଆଉ ଆଗ ଭଳି ଦୁର୍ଦ୍ଧର୍ଷ ଅଲରରାଉଣ୍ଡର ହୋଇ ରହି ନାହାନ୍ତି । ସେ ଆଉ ନିୟମିତ ବୋଲିଂ ମଧ୍ୟ କରୁନାହାନ୍ତି । ପାଣ୍ଡ୍ୟା ଏବେ ତାଙ୍କ କ୍ୟାରିୟର ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ଓ ଦଳ ପାଇଁ ଏକ ବୋଝ ହେବାରେ ଲାଗିଛନ୍ତି । ଏପରିକି ତାଙ୍କ ଆଇପିଏଲ୍ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଆସନ୍ତା ସିଜନରୁ ତାଙ୍କୁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଛି । ସେହିପରି ଭୁବନେଶ୍ୱର କୁମାରଙ୍କ ବୋଲିଂରେ ମଧ୍ୟ ଆଗଭଳି ବେଗ ନାହିଁ । ଭୁବନେଶ୍ୱରଙ୍କ ଏହା ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହୋଇପାରେ । ତଥାପି ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଅଭିଜ୍ଞତାରୁ ଫାଇଦା ନେବାକୁ ଚାହୁଁଛି । ତାଙ୍କ ଉପରେ ଦଳର ଭରସାକୁ ଭୁବନେଶ୍ୱର ଯଥାର୍ଥ ସାବ୍ୟସ୍ତ କରିବାକୁ ସମୟ ଆସିଛି ।
ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତ ପ୍ରତ୍ୟାବର୍ତ୍ତନ କରିବା ନଜିର ରହିଛି । ଅଧିନାୟକ ଭାବେ ନିଜ ଶେଷ ଟି୨୦ ଟୁର୍ଣ୍ଣାମେଣ୍ଟରେ କୋହଲି ଆରମ୍ଭରୁ ଚାପରେ ରହିଛନ୍ତି । ବଡ଼ ଟୁର୍ଣ୍ଣାମେଣ୍ଟ ଗୁଡ଼ିକରେ କୋହଲିଙ୍କ ରଣନୀତି ସର୍ବଦା ଫେଲ୍ ମାରିଛି । ଏଥିପାଇଁ ସେ ସମାଲୋଚିତ ହୋଇଛନ୍ତି । ପାକିସ୍ତାନ ଠାରୁ ଲଜ୍ଜାଜନକ ପରାଜୟ ପରେ ନ୍ୟୁଜିଲାଣ୍ଡ ମ୍ୟାଚ୍ ପାଇଁ କୋହଲି ଦଳରେ କିଛି ପରିବର୍ତ୍ତନ କରିବା ସମ୍ଭାବନା ରହିଛି । କାରଣ ପୁଣି ଏକ ମେଗା ଇଭେଣ୍ଟରେ ବିଫଳତା ତାଙ୍କ ନେତୃତ୍ୱ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିପାରେ ଏବଂ ଦିନିକିଆ ଦଳର ଅଧିନାୟକତ୍ୱ ମଧ୍ୟ ତାଙ୍କ ହାତରୁ ଯାଇପାରେ । ତେବେ କୋହଲି ଚ୍ୟାଲେଞ୍ଜର ସାମ୍ନା କରିବାକୁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳକୁ ବିଜୟଧାରାକୁ କିପରି ଫେରାଇ ଆଣିବାକୁ କଣ କରିବାକୁ ହେବ ତାହା ସେ ଜାଣନ୍ତି ।

ଭାରତକୁ ଏକ ସହଜ ଗ୍ରୁପ୍ ମିଳିଥିଲା । ପାକିସ୍ତାନ ଓ ନ୍ୟୁଜିଲାଣ୍ଡକୁ ଛାଡ଼ି ଏହି ଗ୍ରୁପରେ ଆଫଗାନିସ୍ତାନ, ସ୍କଟଲାଣ୍ଡ ଓ ନାମିବ୍ୟା ଭଳି ଅପେକ୍ଷାକୃତ ଦୁର୍ବଳ ଦଳ ଅଛନ୍ତି । ଭାରତ ସହଜରେ ସେମିଫାଇନାଲକୁ ଉନ୍ନୀତ ହେବ ବୋଲି ଆଶା କରାଯାଉଥିଲା । ହେଲେ ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ପରାଜୟ ପରେ ଦଳ ଏବେ ଗ୍ରୁପ୍ ପର୍ଯ୍ୟାୟରୁ ହିଁ ବିଦା ହେବା ଆଶଙ୍କାରେ ରହିଛି । ନ୍ୟୁଜିଲାଣ୍ଡ ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହୋଇଛି । ଉଭୟ ଦଳ ପାଇଁ ଆସନ୍ତାକାଲିାର ମ୍ୟାଚ୍ ଏକ ପ୍ରକାର ସୁଟ୍ ଆଉଟ୍ ସଦୃଶ ହୋଇଛି । କାକର ଯୋଗୁଁ ଚଳିତ ବିଶ୍ୱକପରେ ଏଯାବତ୍ ଟସ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଛନ୍ତି । କୋହଲି ଯଦି ଟସ୍ ଜିତନ୍ତି, ତେବେ ସେ ମଧ୍ୟ ବୋଲିଂ କରିବାକୁ ଚାହିଁବେ । ସୂର୍ଯ୍ୟକୁମାର ଯାଦବ ଓ ରିଷଭ ପନ୍ତ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ରହିବେ । ପାକିସ୍ତାନ ବିପକ୍ଷରେ ଫ୍ଲପ୍ ହେବା ପରେ ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କ ଓପନିଂ ଯୋଡ଼ି ଠାରୁ ଭଲ ଷ୍ଟାର୍ଟର ଆଶା କରାଯାଉଛି ।

Comments are closed.