ପଞ୍ଜଶିର ଘାଟି ଆଡ଼କୁ ମୁହାଁଉଛି ତାଲିବାନ, ନିକଟସ୍ଥ ତିନି ଜିଲ୍ଲାକୁ ଦଖଲ କଲା

କାବୁଲ: ଆଫଗାନିସ୍ତାନର ସବୁ ଅଞ୍ଚଳ ନିଜ ଦଖଲକୁ ନେଇଥିଲେ ମଧ୍ୟ ପଞ୍ଜଶିର ଘାଟି ତାଲିବାନ ହାତକୁ ଏ ଯାଏଁ ଆସିନାହିଁ । ଉତ୍ତର ଆଫଗାନିସ୍ତାରନର ଏହି ଦୁର୍ଗମ ଉପତ୍ୟକା ତାଲିବାନ ବିରୋଧୀ ଗୋଷ୍ଠୀ ‘ନର୍ଦର୍ଣ୍ଣ ଆଲାଇନ୍ସ’ର ଅଭେଦ୍ୟ ଗଡ଼ ରହି ଆସିଛି । ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ୍ ଏହି ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି । ପଞ୍ଜଶିର ଘାଟିକୁ ଏବେ କବ୍‌ଜା କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ତାଲିବାନ । ତାଲିବାନ ଏହି ଅଞ୍ଚଳ ନିକଟସ୍ଥ ତିନୋଟି ଜିଲ୍ଲା ଦଖଲ କରି ଆଗକୁ ମୁହାଁଇଥିବା ସୂଚନା ମିଳିଛି । ତାଲିବାନକୁ କଡ଼ା ଟକ୍କର ଦେଉଛନ୍ତି ନର୍ଦର୍ଣ୍ଣ ଆଲାଇନ୍ସର ଯୋଦ୍ଧା । ସେଠାରେ ଏବେ ଉଭୟ ଗୋଷ୍ଠୀ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଥିବା ଜଣାପଡ଼ିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପଞ୍ଜଶିର ଘାଟି ନିକଟସ୍ଥ ତିନୋଟି ଜିଲ୍ଲା ବାନୋ, ଦେହ ସଲେହ, ପୁଲ-ଏ-ହିସାରକୁ ତାଲିବାନ ଦଖଲ କରିନେଇଛି । ଏହି ତିନି ଜିଲ୍ଲା ତାଲିବାନକୁ ବିରୋଧ କରୁଥିବା ସ୍ଥାନୀୟ ବିଦ୍ରୋହୀଙ୍କ କବ୍‌ଜାରେ ଥିଲା । ହେଲେ ଏହି ତିନି ଜିଲ୍ଲା ଏବେ ସେମାନଙ୍କ ନିୟନ୍ତ୍ରଣରେ ବୋଲି ତାଲିବାନ ଦାବି କରିଛି ।

ତାଲିବାନ ଏବେ ପଞ୍ଜଶିର ଘାଟି ଚାରିଆଡ଼ୁ ଘେରି ରହିଥିବା ସୂଚନା ମିଳିଛି । ତାଲିବାନ ସହ ଲଢ଼େଇରେ ନର୍ଦର୍ଣ୍ଣ ଆଲାଇନ୍ସକୁ ଆଫଗେନା ସୈନିକ୍ୟ ଓ କମାଣ୍ଡରଙ୍କ ସାଥ୍ ମିଳିଛି । ମାସୁଦ୍ କହିଛନ୍ତି ଯେ, ଆମେ ଯୁଦ୍ଧ ଚାହୁଁନାହୁଁ । ଆମେ ତାଲିବାନ ସହ ମିଶି ଏକ ମିଳିତ ସରକାର ଗଠନ କରିବାକୁ ଚାହୁଁଛୁ । ଏଥିପାଇଁ ଆମେ ତାଲିବାନ ସହ ଆଲୋଚନା କରିବାକୁ ପ୍ରସ୍ତୁତ । ଯଦି ତାଲିବାନ ଏଥିରେ ରାଜି ନ ହୁଏ ଏବଂ ସେମାନେ ପଞ୍ଜଶିର ଘାଟିକୁ ପ୍ରବେଶ କରିବାକୁ ଉଦ୍ୟମ କରନ୍ତି, ତେବେ ଆମେ ତାହା ହେବାକୁ ଦେବୁ ନାହିଁ ବୋଲି ମାସୁଦ୍ କହିଛନ୍ତି ।

Comments are closed.