ଦୀର୍ଘ ୯ ମାସର ପ୍ରତୀକ୍ଷାର ଅନ୍ତ, ଭକ୍ତଙ୍କ ପାଇଁ ଖୋଲିଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ପୀଠ

ବ୍ରହ୍ମପୁର-ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ଭକ୍ତଙ୍କ ପାଇଁ ପୁଣି ଖୋଲିଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ତାରାତାରିଣୀ ପୀଠ । ଆଜିଠାରୁ ଭକ୍ତମାନେ ମା’ଙ୍କୁ ଦର୍ଶନ କରିପାରିବେ । କୋଭିଡ କଟକଣା ସହ ଭକ୍ତଙ୍କୁ ମନ୍ଦିରକୁ ଛଡାଯାଇଛି । ସମସ୍ତ ଭକ୍ତ ଓ ସେବାୟତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ହିଲ୍ ଟପ୍‌କୁ ଯିବା ଲାଗି ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରିଛି ମନ୍ଦିର ଟ୍ରଷ୍ଟବୋର୍ଡ । ହିଲ୍ ଟପ୍‌କୁ ଅନ୍ୟ କୌଣସି ଯାନବାହନ ଯାତାୟତ କରିପାରିବ ନାହିଁ । ସାଧାରଣ ଭକ୍ତ ମନ୍ଦିର ସିଂହଦ୍ୱାର ଦେଇ ପାହାଚ ଚଢି ପାହାଡ ଉପରକୁ ଆସି ଦେବୀଙ୍କ ଦର୍ଶନ କରିପାରିବେ ।

ଭକ୍ତମାନେ ପୂର୍ବ ଭଳି ଦୀପଦାନ ସହ ଭୋଗ ଅର୍ପଣ କରିପାରିବେ । ତେବେ, ଗର୍ଭଗୃହରେ ପ୍ରବେଶ ଲାଗି କଟକଣା ଜାରି ହୋଇଛି । ଭକ୍ତମାନେ କେବଳ ଜଗମୋହନ ମନ୍ଦିରରେ ରହି ମା’ଙ୍କ ଦର୍ଶନ କରିପାରିବେ ।

୯ ମାସ ପରେ ମନ୍ଦିର ଖୋଲିଥିବାରୁ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ମନ୍ଦିର ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ବ୍ୟବସ୍ଥା କରାଯାଇଥିଲା । ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିବ ।

Comments are closed.