ବର୍ବରତାର ସୀମା ଟପିଲେ, ଆଦିବାସୀ ଯୁବକଙ୍କୁ ପିକ୍‌ଅପ୍ ଭ୍ୟାନରେ ବାନ୍ଧି ଘୋଷାଡ଼ି ମାରିଲେ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶରେ ନିମଚ୍‌ରେ ଏକ ବର୍ବରୋଚିତ ଘଟଣା ସାମ୍ନାକୁ ଆସିଛି । ଚୋରି ସନ୍ଦେହରେ ଜଣେ ଆଦିବାସୀ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ବାନ୍ଧି ବହୁ ଦୂର ଘୋଷାଡ଼ିି ନେଇଛନ୍ତି କିଛି ଦୁର୍ବୃତ୍ତ । ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ପରେ ଯୁବକଙ୍କର ମୃତ୍ୟୁ ହୋଇଛି । ଏହି ଅମାନବୀୟ କାଣ୍ଡ ଘଟାଇଥିବା ଚାରି ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଯୁବକଙ୍କୁ ଗାଡ଼ିରେ ବାନ୍ଧି ଘୋଷାରି ନେବାରେ ମନ ମାନିଲାନି ଯେ, ଏହି ଘଟଣାର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଅଭିଯୁକ୍ତ । ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି ହୋଇଛି ।

ଏହି ଘଟଣାରେ ପୋଲିସ୍ ମୋଟ ୮ ଲୋକଙ୍କୁ ଅଟକ ରଖିଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଲୋକଙ୍କ ବିରୋଧରେ ଏସ୍‌ସି/ଏସ୍‌ଟି ଆଟ୍ରୋସିଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ଏହି ଘଟଣା ନିମଚ୍ ଜିଲ୍ଲା ସିଙ୍ଗୋଲି ଥାନା ଅଞ୍ଚଳରେ ଘଟିଛି । ଜଣେ ଆଦିବାସୀ ଯୁବକଙ୍କୁ ଚୋରି ସନ୍ଦେହରେ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ । ପରେ ଯୁବକଙ୍କୁ ଲହୁ ଲୁହାଣ ଅବସ୍ଥାରେ ପିକ୍ ଅପ୍ ଭ୍ୟାନ୍‌ର ପଛପଟେ ଦଉଡ଼ିରେ ବାନ୍ଧି ବହୁ ଦୂର ଘୋଷାରି ନେଇଥିଲେ । ଏହାର ସେମାନେ ଭିଡ଼ିଓ ମଧ୍ୟ କରିଥିଲେ । ଯୁବକକୁ ଘୋଷାରି ନେବା ପରେ ମଧ୍ୟ ତାକୁ ମାଡ଼ ମାରିଥିଲେ ଦୁର୍ବୃତ୍ତ । ଦରମଲା ଅବସ୍ଥାରେ ଯୁବକକୁ ସେମାନେ ଚୋରି କରିଥିବା କହି ପୋଲିସ ଜିମା ଦେଇଥିଲେ । ସିଙ୍ଗୋଲି ପୋଲିସ୍ ଯୁବକକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରେ ତାକୁ ନିମଚ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠି ଯୁବକର ମୃତ୍ୟୁ ହୋଇଥିଲା ।
ଏହି ଘଟଣାର ଭିଡ଼ିଓ ଦୁର୍ବୃତ୍ତ ମାନେ ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଏହା ଭାଇରାଲ୍ ହୋଇଥିଲା । ପରେ ପୋଲିସ୍ ପୂରା ଘଟଣା ପଛର ସତ୍ୟତା ଜାଣିପାରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା ।

Comments are closed.