ଯେଉଁ ଟ୍ବିଟର ଆକାଉଣ୍ଟର ଅଭିଯୋଗ ଆଧାରରେ ମହମ୍ମଦ ଜୁବେରଙ୍କୁ ଗିରଫ କରାଯାଇଥିଲା ତାହା ଏବେ ଉଭାନ୍ !

ନୂଆଦିଲ୍ଲୀ: ଯେଉଁ ଟ୍ୱିଟର ଆକାଉଣ୍ଟର ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ଅଲ୍ଟ ନ୍ୟୁଜ୍ ସହପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଗିରଫ କରିଥିଲା, ସେହି ଆକାଉଣ୍ଟ୍ ଏବେ ହଠାତ୍ ଉଭାନ୍ ହୋଇଯାଇଛି । ଅର୍ଥାତ୍ ଟ୍ୱିଟରରେ ଏହି ଆକାଉଣ୍ଟ ଆଉ ନାହିଁ |

ଏହି ରହସ୍ୟମୟ ଟୁଇଟର ଆକାଉଣ୍ଟକୁ ନେଇ ମହମ୍ମଦ ଜୁବେରଙ୍କ ଓକିଲ ବୃନ୍ଦା ଗ୍ରୋଭର ସନ୍ଦେହ ପ୍ରକଟ କରିଥିଲେ । ଏହି ଟ୍ୱିଟର ଆକାଉଣ୍ଟ ଚଳାଉଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ଉପରେ ମଧ୍ୟ ଗ୍ରୋଭର ପ୍ରଶ୍ନ ଉଠାଇଥିଲେ ।

ଦିଲ୍ଲୀର ଏକ କୋର୍ଟରେ ମହମ୍ମଦ ଜୁବେରଙ୍କ ପୋଲିସ ହାଜତ ମିଆଦ ବୃଦ୍ଧି କରିବାକୁ ବିରୋଧ କରି ବୃନ୍ଦା ଗ୍ରୋଭର ଉକ୍ତ ଟ୍ବିଟର ଆକାଉଣ୍ଟ ନେଇ ଏପରି ସନ୍ଦେହ ବ୍ୟକ୍ତ କରିଥିଲେ । ଏହାର ଗୋଟିଏ ଦିନ ପରେ ଏହି ଟ୍ୱିଟର ଆକାଉଣ୍ଟ ବନ୍ଦ ଡିଲିଟ୍ ହୋଇଯାଇଛି |

ପ୍ରଶ୍ନ ଘେରରେ ଥିବା ଉକ୍ତ ଟ୍ୱିଟର ଆକାଉଣ୍ଟ ହ୍ୟାଣ୍ଡେଲ @balajikijaiin ନାମରେ ପରିଚାଳିତ ହେଉଥିଲା ଏବଂ ଏହାର ପ୍ରୋଫାଇଲ୍ ନାମ ‘ହନୁମାନ ଭକ୍ତ’ ଥିଲା | ଏହି ଆକାଉଣ୍ଟ ୨୦୨୧ ମସିହାରେ ଖୋଲାଯାଇଥିଲା କିନ୍ତୁ ପ୍ରଥମ ଟୁଇଟ୍ ଚଳିତ ବର୍ଷ ଜୁନ୍ ୧୯ରେ କରାଯାଇଥିଲା | ୧୯ ଜୁନ୍ ଟୁଇଟ୍ ଆଧାରରେ ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ୟୁନିଟ୍ ୨୦ ଜୁନ୍ ମହମ୍ମଦ ଜୁବାଇରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ମଙ୍ଗଳବାର ବୃନ୍ଦା ଗ୍ରୋଭର କୋର୍ଟରେ ସେହି ରହସ୍ୟମୟ ଟ୍ବିଟର ଆକାଉଣ୍ଟ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ଉକ୍ତ ଆକାଉଣ୍ଟର ଏକ ଅଭିଯୋଗ ଆଧାରରେ ଏକ ଚାରି ବର୍ଷ ପୁରୁଣା ଟ୍ୱିଟକୁ ନେଇ ପୋଲିସ କିପରି ମହମ୍ମଦ ଜୁବେରଙ୍କୁ ଗିରଫ କରିପାରିବ?

Comments are closed.