କରୋନା ଟିକା ନେବାକୁ ମନା କରିବାରୁ ଆମେରିକା ନୌସେନା ଅଧିକାରୀ ବରଖାସ୍ତ

ୱାଶିଂଟନ୍: କୋଭିଡ-୧୯ ଟିକା ଏବଂ ଟେଷ୍ଟିଂକୁ ମନା କରିବାରୁ ଆମେରିକା ନୌସେନାର ଜଣେ କମାଣ୍ଡରଙ୍କୁ ତାଙ୍କ ପଦରୁ ବରଖାସ୍ତ କରାଯାଇଛି। ନୌସେନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ବରଖାସ୍ତ ହୋଇଥିବା ଅଧିକାରୀ ହେଉଛନ୍ତି ଯୁଦ୍ଧ ଜାହାଜ ୱିନଷ୍ଟନ୍ ଚର୍ଚ୍ଚିଲର କମାଣ୍ଡର ଲୁସିଆନ୍ କିନ୍ସ ।

ନୌସେନା କ୍ୟାପଟେନ୍ ତଥା ନାଭାଲ୍ ସର୍ଫେସ୍ ସ୍କ୍ବାଡ୍ରନ ୧୪ର କମାଣ୍ଡର କେନ୍ ଆଣ୍ଡରସନ୍, କିନ୍ସଙ୍କୁ ତାଙ୍କ ଦାୟିତ୍ବରୁ ମୁକ୍ତ କରିଛନ୍ତି | ଅଧିକାରୀମାନେ କହିଛନ୍ତି ଯେ ଟିକାକରଣ କରିବାକୁ ମନା କରି ବରଖାସ୍ତ ହେବାରେ କିନ୍ସ ହେଉଛନ୍ତି ପ୍ରଥମ ନୌସେନା ଅଧିକାରୀ।

ନୌସେନାର ମୁଖପାତ୍ର ଲେଫ୍ଟନାଣ୍ଟ କମାଣ୍ଡର ଜେସନ ଫିସର ଗୋପନୀୟତା ଦର୍ଶାଇ କିନ୍ସଙ୍କୁ କମାଣ୍ଡର ଦାୟିତ୍ବରୁ ମୁକ୍ତ କରିବାର ପ୍ରକୃତ କାରଣ କହିବାକୁ ମନା କରି ଦେଇଛନ୍ତି। ଫିସର ହେଉଛନ୍ତି ନାଭାଲ୍ ସର୍ଫେସ୍ ଫୋର୍ସ ଆଟଲାଣ୍ଟିକର ମୁଖପାତ୍ର | ସେ କହିଛନ୍ତି ଯେ ବରଖାସ୍ତ ହେବାର କାରଣ ହେଉଛି କିନ୍ସ ଏକ ଆଇନଗତ ଆଦେଶ ପାଳନ କରିବାରେ ବିଫଳ ହେବା ପରେ ତାଙ୍କ କର୍ତ୍ତବ୍ୟ ପାଳନ କରିବାରେ ଅକ୍ଷମତା ପ୍ରକାଶ କରିଛନ୍ତି।

ତେବେ ଅନ୍ୟ ଅଧିକାରୀମାନେ କହିଛନ୍ତି ଯେ ଟିକା ଲଗାଇବା ଏବଂ ଟେଷ୍ଟିଂ କରାଯିବା ପାଇଁ କିନ୍ସ ନିର୍ଦ୍ଦେଶ ପାଳନ କରିବାକୁ ମନା କରିଦେଇଥିଲେ।

ଜଣେ ଅଧିକାରୀ କହିଛନ୍ତି ଯେ ଧାର୍ମିକ କାରଣ ଦର୍ଶାଇ କିନ୍ସ ଟିକାକରଣରୁ ଛାଡ଼ ପାଇଁ ଅନୁରୋଧ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ବିରୋଧରେ କିନ୍ସ ଅପିଲ କରିଛନ୍ତି |

ଆମେରିକା ପ୍ରତିରକ୍ଷା ବିଭାଗ ‘ପେଣ୍ଟାଗନ୍’ ସେନାର ସମସ୍ତ କର୍ମଚାରୀଙ୍କ ପାଇଁ ଟିକାକରଣ ବାଧ୍ୟତାମୂଳକ କରିଛି |

Comments are closed.