ଆଜିଠାରୁ ଦେଶରେ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବା ବେଳେ ଆଜିଠାରୁ ଦେଶରେ ୧୫-୧୮ ବର୍ଷ ବୟସର ପିଲାଙ୍କ ଟିକାକରଣ ଆରମ୍ଭ ହେଉଛି | ଏଥିପାଇଁ ସବୁ ରାଜ୍ୟରେ ପ୍ରସ୍ତୁତି ଶେଷ ହୋଇଛି । ଦେଶରେ ଏହି ବୟସ ବର୍ଗର ୮ କୋଟି ପିଲା ଅଛନ୍ତି । ଏଥିମଧ୍ୟରୁ ପ୍ରାୟ ସାଢେ଼ ୬ କୋଟି ହେଉଛନ୍ତି ସ୍କୁଲ ପିଲା । କୋ-ଓ୍ବିନ ଆପରେ ଏପର୍ଯ୍ୟନ୍ତ ୧୫ ରୁ ୧୮ ବର୍ଷ ବୟସର ୮ ଲକ୍ଷ ପିଲା ଟିକା ପାଇଁ ପଞ୍ଜୀକରଣ କରିଛନ୍ତି , ଯାହା ଏହି ବୟସର ମାତ୍ର ୧ ପ୍ରତିଶତ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂଆ ଗାଇଡ ଲାଇନ୍ ଅନୁଯାୟୀ ୧୫-୧୮ ବର୍ଷ ବୟସର ପିଲାଙ୍କୁ କେବଳ କୋଭାକ୍ସିନ୍ ଦିଆଯିବ। କୋଭାକ୍ସିନ୍ ର ଦ୍ୱିତୀୟ ଡୋଜ୍ ୨୮ ଦିନ ପରେ ଦିଆଯିବ |

କୋଭାକ୍ସିନ୍ ବ୍ୟତୀତ ଦେଶର ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଜନସଂଖ୍ୟାକୁ କୋଭିଶିଲ୍ଡ ଏବଂ ସ୍ପୁଟ୍ନିକ୍ ଭି ଟିକା ମଧ୍ୟ ଦିଆଯାଉଛି | ପିଲାମାନଙ୍କ ଟିକାକରଣ ପାଇଁ ଦିଲ୍ଲୀରେ ୧୫୯ ଟି କେନ୍ଦ୍ର ଚିହ୍ନଟ କରାଯାଇଛି। ଦିଲ୍ଲୀ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ଏହି ତାଲିକା ପ୍ରକାଶ କରିଛି। ସର୍ବାଧିକ ୨୧ ଟିକାକରଣ କେନ୍ଦ୍ର ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ଅଛି | ବିଦ୍ୟାଳୟରେ ସ୍ଥାପିତ ଟିକାକରଣ କେନ୍ଦ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ପ୍ରୋଟୋକଲ ପ୍ରସ୍ତୁତ କରାଯାଇଛି |

Comments are closed.