ଆଜି ପୁଣି ଚାଷୀ-ସରକାର ଆଲୋଚନା, କୃଷି ଆଇନ ଲାଗୁ କରିବା ନିଷ୍ପତ୍ତି ରାଜ୍ୟ ଉପରେ ଛାଡ଼ିପାରେ କେନ୍ଦ୍ର

ନୂଆଦିଲ୍ଲୀ – ତିନି କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନର ଆଜି ହେଉଛି ୪୪ତମ ଦିନ । ଏହି ଅଚଳାବସ୍ଥା ଦୂର କରିବା ଲାଗି ଆଜି ପୁଣି କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ହେବ । ଉଭୟ ପକ୍ଷ ମଧ୍ୟରେ ଏହା ହେବ ନବମ ପର୍ଯ୍ୟାୟ ଆଲୋଚନା । ତେବେ ପୂର୍ବ ୮ ରାଉଣ୍ଡ ଆଲୋଚନା ପରି ଏଥର ମଧ୍ୟ ଚାଷୀ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ତିନୋଟି ଯାକ କୃଷି ଆଇନ୍ ପ୍ରତ୍ୟାହାର ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନେଇ ନୂଆ ଆଇନ ପ୍ରଣୟନ ଦାବି ସେମାନେ ଦୋହରାଇବେ ବୋଲି କୃଷକ ସଂଗଠନମାନେ ସ୍ପଷ୍ଟ କରିଛନ୍ତି ।

ସରକାରଙ୍କ ସହ ନବମ ରାଉଣ୍ଡ ଆଲୋଚନା ପୂର୍ବରୁ ଗତକାଲି ଆନ୍ଦୋଳନରତ ଚାଷୀମାନେ ଟ୍ରାକ୍ଟର ରାଲି କରି ଶକ୍ତି ପ୍ରଦର୍ଶନ କରିଥିଲେ ।
କୃଷି ଆଇନ ନେଇ ଚାଷୀମାନେ ନିଜ ଜିଦରେ ଅଟଳ ରହିଥିବା ବେଳେ କେନ୍ଦ୍ର ସରକାର ଏହି ଆଇନ ଲାଗୁ କରିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିବାକୁ ବିଚାର କରୁଛନ୍ତି ବୋଲି ଜଣାପଡିଛି । ନୂଆ କୃଷି ଆଇନ ଲାଗୁ କରିବା ନ କରିବା ରାଜ୍ୟମାନଙ୍କର ଇଚ୍ଛାଧୀନ ହୋଇପାରେ । ଆଜି ଚାଷୀଙ୍କ ସହ ଆଲୋଚନାରେ ସରକାର ଏହି ପ୍ରସ୍ତାବ ରଖିପାରନ୍ତି ।

Comments are closed.