କେନ୍ଦ୍ରୀୟ ସଂସ୍ଥାଙ୍କୁ ଲଗାଇ ଚାଷୀଙ୍କୁ ଧମକାଉଛନ୍ତି ସରକାର: ସୁଖବୀର

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ଏଥିପାଇଁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାଙ୍କ ନୋଟିସ୍ ଜରିଆରେ ଚାଷୀମାନଙ୍କୁ ଧମକ ଦିଆଯାଉଛି । ଏଭଳି ଅଭିଯୋଗ କରିଛନ୍ତି ଶିରୋମନି ଅକାଳି ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ । କୃଷି ଆଇନ ନେଇ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ପାଇଁ ସରକାର ଆଗ୍ରହ ଦେଖାଉ ନାହାନ୍ତି । ଚାଷୀମାନେ ଦେଶଦ୍ରୋହୀ ନୁହଁନ୍ତି । କିନ୍ତୁ ସେମାନଙ୍କୁ ଏନ୍‌ଆଇଏ ଭଳି କେନ୍ଦ୍ରୀୟ ସଂସ୍ଥା ଜରିଆରେ ନୋଟିସ ପଠାଇ ହଇରାଣ କରଯାଉଛି ବୋଲି ସୁଖବୀର କହିଛନ୍ତି ।

ଅକାଳି ଦଳର ବରିଷ୍ଠ ନେତା ବିକ୍ରମ ସିଂ ମାଝିତିଆ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି । ଆନ୍ଦୋଳନରତ ଚାଷୀମାନଙ୍କୁ ସରକାର ନକ୍ସଲ ଓ ଖଲିସ୍ତାନୀ କହି ଅପମାନିତ କରୁଛନ୍ତି । ପ୍ରକୃତ ସମସ୍ୟାର ସମାଧାନ କରିବାକୁ ସରକାରଙ୍କ ଆଗ୍ରହ ନାହିଁ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ, କୃଷକ ସଂଗଠନ ନେତା ବଲଦେବ ସିଂ ସିରସାଙ୍କୁ ଗତକାଲି ଏନ୍‌ଆଇଏ ନୋଟିସ୍ ଜାରି କରିଥିଲା । ସିଖ ଫର ଜଷ୍ଟିସ୍ (ଏସ୍‌ଏଫ୍‌ଜେ) ନାମକ ଏକ ନିଷିଦ୍ଧ ସଂଗଠନ ସହ ଜଡିତ ନେଇ ତାଙ୍କୁ ହାଜର ହେବାକୁ ନୋଟିସ୍ କରାଯାଇଛି ।

Comments are closed.