ଚାଷୀ ଆନ୍ଦୋଳନ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଚାଷୀଙ୍କ ମନରେ ଭ୍ରାନ୍ତଧାରଣା ସୃଷ୍ଟି କରାଯାଉଛି

ବାରାଣସୀ – କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦି କହିଛନ୍ତି ଯେ, କୃଷି ଆଇନ ନେଇ ବିରୋଧୀ ଦଳ ଚାଷୀମାନଙ୍କ ମନରେ ଭ୍ରାନ୍ତଧାରଣା ସୃଷ୍ଟି କରୁଛନ୍ତି । କୃଷି ଆଇନକୁ ଐତିହାସିକ ବୋଲି ଅଭିହିତ କରି ମୋଦି ବିରୋଧୀ ଦଳଙ୍କ ଉପରେ ବର୍ଷିଛନ୍ତି । ସେ ବିରୋଧୀ ଦଳଙ୍କ ନାଁ ନ ନେଇ କହିଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଚାଷୀମାନଙ୍କୁ ଭୁଆଁ ବୁଲାଉଥିଲେ, ସେହି ଲୋକମାନେ ହିଁ ଆଜି କୃଷି ଆଇନ୍ ବିରୋଧରେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ।

କୃଷି ଆଇନକୁ ନେଇ ଚାଷୀଙ୍କ ମନରେ ସନ୍ଦେହ ସୃଷ୍ଟି କରାଯାଉଛି । ଯେଉଁମାନେ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ), ଋଣଛାଡ଼ ଓ ସାର ସବସିଡି ନାମରେ ଚାଷୀଙ୍କୁ ଠକୁଥିଲେ, ସେମାନେ ଆଜି କୃଷି ଆଇନ ବିରୋଧରେ ଚାଷୀଙ୍କୁ ଆନ୍ଦୋଳନ କରିବାକୁ ଉସୁକାଉଛନ୍ତି ବୋଲି ମୋଦି ନିଜ ଲୋକସଭା ମଣ୍ଡଳୀ ବାରାଣସୀରେ ଏକ ଜନସମାବେଶକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି । କୃଷି ଆଇନ ଚାଷୀମାନଙ୍କ ସ୍ୱାର୍ଥରକ୍ଷା କରିବା ଉଦ୍ଦେଶ୍ୟରେ ଅଣାଯାଇଛି । ଚାଷୀଙ୍କ ହିତସାଧନ ଦିଗରେ ସରକାର ସର୍ବଦା ଚେଷ୍ଟିତ । ଚାଷୀମାନଙ୍କ ଆୟ ଦୁଇଗୁଣ ବୃଦ୍ଧି କରିବାକୁ ମଧ୍ୟ ପ୍ରଚେଷ୍ଟା ଚାଲିଛି ବୋଲି ମୋଦି କହିଛନ୍ତି ।

Comments are closed.