ମିତାଲିଙ୍କ ପୁଣି ଏକ କୀର୍ତ୍ତିମାନ, ପ୍ରଥମ ମହିଳା କ୍ରିକେଟର ଭାବେ ଦିନିକିଆରେ ୭୦୦୦ ରନ୍ ପୂରଣ କଲେ

ଲକ୍ଷ୍ନୌ – ଭାରତୀୟ ମହିଳା ଦଳର ଅଧିନାୟିକା ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରେ ପୁଣି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ମିତାଲି ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଦିନିକିଆରେ ୭୦୦୦ ରନ୍ ପୂରଣ କରିଛନ୍ତି । ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଦିନିକିଆରେ ମିତାଲି ଏହି ରେକର୍ଡ କରିଛନ୍ତି । ଦୁଇ ଦିନ ତଳେ ସେ ବିଶ୍ୱର ଦ୍ୱିତୀୟ ଓ ଭାରତର ପ୍ରଥମ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ କରିଥିଲେ ।

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଦିନିକିଆରେ ମିତାଲି ଏହି ଫର୍ମାଟରେ ୭୦୦୦ ରନ୍ ମାଇଲଖୁଣ୍ଟ ଛୁଇଁଛନ୍ତି । ସେ ଏହି ମ୍ୟାଚରେ ୭୧ ବଲରେ ୪୫ ରନ୍ କରିଥିଲେ । ମିତାଲି ନିଜ କ୍ୟାରିୟରର ୨୧୩ତମ ଦିନିକିଆରେ ୭୦୦୦ ରନ୍ ପୂରଣ କରିଛନ୍ତି ।

ଏହି ମାଇଲଖୁଣ୍ଟ ପାଇଁ ମିତାଲିଙ୍କୁ ବିସିିସିଆଇ ଅଭିନନ୍ଦନ ଜଣାଇଛି ।

ମିତାଲି ୧୯୯୯ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ମିତାଲି ମଧ୍ୟ ପ୍ରଥମ ଖେଳାଳି ଭାବେ ଦିନିକିଆରେ ୬୦୦୦ ରନ୍ କରିଥିଲେ । ଏହି ଫର୍ମାଟରେ ସର୍ବାଧିକ ରନ୍ କରିଥିବା ମହିଳା ଖେଳାଳିଙ୍କ ତାଳିକାରେ ମିତାଲି ଏବେ ଶୀର୍ଷରେ ଅଛନ୍ତି । ତାଙ୍କ ପରେ ଇଂଲଣ୍ଡର ପୂର୍ବତନ ଖେଳାଳି ଚାର୍ଲୋଟ୍ ଏଡୱାର୍ଡ୍ସ ୫୯୯୨ ରନ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ମିତାଲି ଦିନିକିଆ ଓ ଟି୨୦ରେ ଭାରତର ସର୍ବାଧିନ ରନ୍ ହାସଲକାରୀ ମହିଳା ଖେଳାଳି । ଟେଷ୍ଟରେ ସନ୍ଧ୍ୟା ଅଗ୍ରୱାଲ (୧୧୧୦), ଶାନ୍ତା ଗୋସ୍ୱାମୀ (୭୫୦), ଶୁଭାଙ୍ଗୀ କୁଲକର୍ଣ୍ଣି (୭୦୦ ରନ୍‌)ଙ୍କ ପରେ ମିତାଲି ଚତୁର୍ଥ ସ୍ଥାନରେ ଅଛନ୍ତି ।

Comments are closed.