ଚାଷୀ-ସରକାର ଆଲୋଚନା ପୁଣି ବିଫଳ, ୮ରେ ପରବର୍ତ୍ତୀ ବୈଠକ

ନୂଆଦିଲ୍ଲୀ – ତିନି କୃଷି ଆଇନ ନେଇ ଅଚଳାବସ୍ଥା ଜାରି ରହିଛି । ସୋମବାର କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନୁଷ୍ଠିତ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିଫଳ ହୋଇଛି । ବିଜ୍ଞାନ ଭବନରେ ପ୍ରାୟ ୪ ଘଣ୍ଟା ଧରି ଆଜି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ବୈଠକରେ କୃଷକ ସଂଗଠନ ପୁଣିଥରେ କୃଷି ଆଇନ ପ୍ରତ୍ୟାହାର ଦାବି ଦୋହରାଇଥିଲେ । ସେହିପରି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ଆଇନଗତ ମାନ୍ୟତା ଦେବା ପ୍ରସଙ୍ଗରେ ବି କୌଣସି ସହମତି ହୋଇପାରି ନାହିଁ । ତେବେ ଉଭୟ ପକ୍ଷ ଜାନୁୟାରୀ ୮ରେ ପୁଣି ଆଲୋଚନା କରିବାକୁ ରାଜି ହୋଇଛନ୍ତି ।
ଆଜି ସରକାରଙ୍କ ସହ ଆଲୋଚନା ସରିବା ପରେ କୃଷକ ନେତା ରାକେଶ ଟିକୈତ କହିଛନ୍ତି, କୃଷି ଆଇନ ପ୍ରତ୍ୟାହାର ନ ହେଲା ଯାଏଁ ଆମେ ଘରକୁ ଫେରିବୁନି । ପରବର୍ତ୍ତୀ ବୈଠକରେ ବି ମଧ୍ୟ କୃଷି ଆଇନ ପ୍ରତ୍ୟାହାର ଓ ଏମ୍‌ଏସପି ନେଇ ଆଇନଗତ ପ୍ରତଶ୍ରୁତି ଦାବି ଉପସ୍ଥାପନ କରିବୁ । ସେପଟେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ, ଚାଷୀ ଚାହୁଁଛନ୍ତି ଯେ, ସରକାର ସମାଧାନ ରାସ୍ତା ବାହାର କରନ୍ତୁ । ସରକାର ପୂରା ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ । ଆଠ ପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ଏହି ପ୍ରସଙ୍ଗରେ କୌଣସି ନିଷ୍କର୍ସ ବାହାରି ନଥିବାବେଳେ ତୋମର କହିଛନ୍ତି ଆଲୋଚନା ଜାରି ରହିବା ଉଚିତ । ଆଜି ଚାଷୀମାନଙ୍କ ସହ ଆଲୋଚନା ସକାରାତ୍ମକ ବାତାବରଣ ମଧ୍ୟରେ ହୋଇଥିଲା । ଉଭୟ ପକ୍ଷ ଚାହୁଁଛନ୍ତି ଏହି ପ୍ରସଙ୍ଗରେ କିପରି ଶୀଘ୍ର ସମାଧାନ ବାହାରୁ ।

Comments are closed.