ବ୍ରହ୍ମପୁର ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର ଗୁରୁତ୍ୱ ରଖେ : ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର- ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହୋଇଛି । ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏହି ପ୍ରମୋଦ ଉଦ୍ୟାନକୁ ଲୋକାର୍ପିତ କରିଛନ୍ତି । ଚିତ୍ତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତ୍ରୋତ୍ରର ତାଳେ ତାଳେ ଲେଜର ଲାଇଟ୍ ଓ ଏକ ସଂଗୀତମୟ ପରିବେଶ ମଧ୍ୟରେ ବ୍ରହ୍ମପୁରର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ୱର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାମଲିଙ୍ଗେଶ୍ୱରର ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ପବିତ୍ର ଜଳାଶୟର ଜଳକୁ ପରିଷ୍କାର ରଖିବା ଓ ଏହାର ସୌନ୍ଦର୍ଯ୍ୟମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ବ୍ରହ୍ମପୁରବାସୀଙ୍କୁ ଆହ୍ୱାନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତକିଛି ବର୍ଷ ତଳେ ଏହି ଜଳାଶୟର ଅବସ୍ଥା କଣ ଥିଲା ଏବଂ ବର୍ତମାନ କେଉଁଠି ପହଂଚିଛି । ଏହା ହେଉଛି ରୂପାନ୍ତରଣ । ରାମଲିଙ୍ଗେଶ୍ୱର ଜଳାଶୟ ଓ ପାର୍କ ଆଜି ଗଞ୍ଜାମର ପ ର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ବ୍ରହ୍ମପୁର ଜନସାଧାରଣଙ୍କ ଅକୁଂଠ ସମର୍ଥନ ଓ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋଭିଡ ସମୟରେ ଗଞ୍ଜାମର ଜନସାଧାରଣଙ୍କର ଦୃଢ ମନୋବଳର ଉଚ୍ଚ ପ୍ରଶଂସା କରିଥିଲେ ନବୀନ । ସେ କହିଥିଲେ ଯେ, ଗଂଜାମର ଜନତାଙ୍କ ସଂଯମତା ଓ ଆତ୍ମଶକ୍ତି ଯୋଗୁଁ ଆଜି ଜିଲ୍ଲାରେ ସଫଳ ଭାବେ କୋଭିଡକୁ ନିୟନ୍ତ୍ରଣ କରାଯାଇପାରିଛି । ଗଂଜାମ ଆଜି ସାରା ଦେଶ ପାଇଁ ରୋଲ୍ ମଡେଲ୍ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବ୍ରହ୍ମପୁରକୁ ଏକ ଆଦର୍ଶ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ବ୍ରହ୍ମପୁରରେ ଅତ୍ୟାଧୁନିକ ସୁବିଧା ଥିବା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ଭାବେ ଆଗେଇ ଚାଲିଥିବା ବେଳେ ସହର ପାଇଁ ୪୨ କୋଟି ଟଙ୍କା ବ୍ୟୟରେ ଏକ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା କହିଥିଲେ ନବୀନ । ସେହିପରି ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ରିଙ୍ଗରୋଡ୍ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ବ୍ରହ୍ମପୁର ତାଙ୍କ ପାଇଁ ସବୁବେଳେ ସ୍ୱତନ୍ତ୍ର ଗୁରୁତ୍ୱ ରଖିଛି । ବ୍ରହ୍ମପୁର ତଥା ଗଂଜାମର ବିକାଶ ଉପରେ ସେ ସବୁବେଳେ ତୀକ୍ଷଣ ନଜର ରଖିଛନ୍ତି ବୋଲ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ । ବ୍ରହ୍ମପୁରକୁ ଏକ ସୁନ୍ଦର ତଥା ଆଧୁନିକ ସହର ଭାବରେ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Comments are closed.