ଆଇପିଏଲ୍: ହାଇଦ୍ରାବାଦର ହ୍ୟାଟ୍ରିକ୍ ପରାଜୟ, ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ୧୩ ରନରେ ପରାସ୍ତ

ଚେନ୍ନାଇ – ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ପରାଜୟ ଧାରା ଜାରି ରହିଛି । ଦଳ ପୁଣିଥରେ ଏକ ମାମଲି ଟାର୍ଗେଟର ପିଛା କରିବାକୁ ଯାଇ ଝୁଣ୍ଟିଛି । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଲୋ’ସ୍କୋରିଂ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୧୩ ରନରେ ହାଇଦ୍ରାବାଦକୁ ହରାଇଛି ।ମୁମ୍ବାଇର ଏହା ଦ୍ୱିତୀୟ ବିଜୟ ହୋଇଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ଟୁର୍ଣ୍ଣାମେଣ୍ଟରେ ହ୍ୟାଟ୍ରିକ୍ ପରାଜୟ ବରଣ କରିଛି ।

ଟସ୍ ଜିତି ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା । ଏହାର ଜବାବରେ ହାଇଦ୍ରାବାଦକୁ ଜନି ବେୟାରଷ୍ଟୋ ଓ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଭଲ ଷ୍ଟାର୍ଟ ଦେଇଥିଲେ । ହେଲେ ଗତ ଦୁଇଟି ମ୍ୟାଚ୍ ଭଳି ଦଳ ହଠାତ୍ ଦିଗହରା ହୋଇ ବିଜୟ ମୁହଁରୁ ପରାଜୟ ଛଡ଼ାଇ ଆଣିଥିଲା । ୧୫୧ ରନର ବିଜୟଲକ୍ଷ୍ୟ ଜବାବରେ ହାଇଦ୍ରାବାଦ ୧୯.୪ ଓଭରରେ ୧୩୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ତରଫରୁ ବେୟାରଷ୍ଟୋ ୨୨ ବଲରେ ୩ଟି ଚୌକା ଓ ୪ଟି ଛକା ସହ ୪୩ ରନ୍ କରିଥିବା ବେଳେ ଅଧିନାୟକ ୱାର୍ଣ୍ଣର ୩୬ ଏବଂ ବିଜୟ ଶଙ୍କର ୨୮ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଏବଂ ରାହୁଲ ଚହର ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ବେୟାରଷ୍ଟୋ ଓ ୱାର୍ଣ୍ଣର ଦଳକୁ ଏକ ଭଲ ଷ୍ଟାର୍ଟ ଦେଇଥିଲେ । ବିଶେଷକରି ବେୟାରଷ୍ଟୋ ଆରମ୍ଭରୁ ଛକା ବର୍ଷା କରି କିଛି ସମୟ ପାଇଁ ମୁମ୍ବାଇ ଶିବିରରେ ଛନକା ସୃଷ୍ଟି କରିଥିଲେ । ବେୟାରଷ୍ଟୋ ଓ ୱାର୍ଣ୍ଣର ପ୍ରଥମ ୱିକେଟରେ ୪୪ ବଲରୁ ୬୭ ରନ୍ ଯୋଗ କରିଥିଲେ । ତେବେ ଅଷ୍ଟମ ଓଭରରେ କୃଣାଳ ପାଣ୍ଡ୍ୟାଙ୍କ ବଲରେ ବେୟାରଷ୍ଟୋର ହିଟ୍ ୱିକେଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ । ପରେ ୱାର୍ଣ୍ଣର ରନ୍ ଆଉଟ୍ ହୋଇଯାଇଥିଲେ । ଏହି ଦୁଇ ଷ୍ଟାର ବ୍ୟାଟ୍‌ସ୍ୟାନଙ୍କ ୱିକେଟ୍ ହରାଇବା ପରେ ହାଇଦ୍ରାବାଦର ପତନ ଆରମ୍ଭ ହୋଇଯାଇଥିଲା । ମୁମ୍ବାଇ ବୋଲରମାନେ ଶାଣିତ ପ୍ରଦର୍ଶନ ସହ ହାଇଦ୍ରାବାଦର ନିୟମିତ ୱିକେଟ୍ ଖସାଇଥିଲେ ।
ପୂର୍ବରୁ ଟସ୍‌ ଜିତି ମୁମ୍ବାଇ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।  ପ୍ରଥମେ ବ୍ୟାଟିଂ କରିବାକୁ ଆସି କ୍ୱିଣ୍ଟନ୍ ଡିକକ୍ (୪୦) ରନ କରିଥିବା ବେଳେ କ୍ୟାପଟେନ ରୋହିତ ଶର୍ମା ୨ଟି ଛକା ଏବଂ ୨ଟି ଚୌକା ସହ ୩୨ ରନ କରିଥିଲେ। ତେବେ ବିଜୟ ଶଙ୍କରଙ୍କ ବଲରେ କ୍ୟାଚ ଆଉଟ୍ ହୋଇଥିଲେ ରୋହିତ। ଆଉ ୬ ଓଭର ୩ଟି ବଲରେ ୫୫ ରନରେ ମୁମ୍ୱାଇ ଇଣ୍ଡିଆନ୍ସ ପ୍ରଥମ ଓ୍ୱିକେଟ ହରାଇଥିଲା। ଏହାପରେ ସୂର୍ଯ୍ୟ କୁମାର ଯାଦବ ୬ଟି ବଲରେ ଗୋଟିଏ ଲେଖାଏଁ ଚୌକା ଓ ଛକା ମାରି ୧୦ ରନରେ ବିଜୟ ଶଙ୍କରଙ୍କ ବଲରେ ଆଉଟ ହୋଇଥିଲେ। ଏହି ସମୟରେ ଦଳର ସ୍କୋର ୭୧ ରନ ଥିଲା।

ଏହାପରେ ୧୩ ଓଭର ୫ଟି ବଲରେ ଦଳ ମୁମ୍ୱାଇ ୯୮ ରନ୍ କରିଥିବା ବେଳେ ଡି କକ (୪୦) ଆଉଟ୍ ହୋଇଥିଲେ। ଇସନ କିଶାନ ଚତୁର୍ଥ ଓ୍ୱିକେଟ ଭାବରେ ୨୧ ବଲରେ ୧୨ ରନ କରି ଆଉଟ୍ ହୋଇଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୫ ବଲରେ ଗୋଟିଏ ଚୌକା ସହ ୭ ରନ କରି ଆଉଟ ହୋଇଥିଲେ। ଏହାପରେ କିରୋନ ପୋଲାର୍ଡ ଆସି ଜବରଦସ୍ତ ବ୍ୟାଟିଂ କରିଥିଲେ। ପୋଲାର୍ଡ ୨୨ ବଲରେ ୩୫ ରନ କରି ଅପରାଜିତ ଥିଲେ। ଯେଉଁଥିରେ ୩ଟି ଛକା ଓ ଗୋଟିଏ ଚୌକା ଥିଲା। ହାଇଦ୍ରାବାଦ ପକ୍ଷରୁ ବିଜୟ ଶଙ୍କର ଓ ମୁଜିବ ଦୁଇଟି ଲେଖାଏଁ ଓ୍ୱିକେଟ ନେଇଥିବା ବେଳେ ଖଲିଲ ଅହମଦ ଗୋଟିଏ ଓ୍ୱିକେଟ ନେଇଥିଲେ।

Comments are closed.