ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ: କୋହଲି, ଇଶାନ୍ତ ଓ ପାଣ୍ଡ୍ୟା ଫେରିଲେ, ଶ’ ବାଦ୍

ନୂଆଦିଲ୍ଲୀ – ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ପାଇଁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଅଧିନାୟକ ବିରାଟ କୋହଲିଙ୍କ ସମେତ ସିନିୟର ପେସର ଈଶାନ୍ତ ଶର୍ମା ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି । ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଫେବୃୟାରୀ ୫ରୁ ଆରମ୍ଭ ହେଉଛି । ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଖେଳାଳି ଚୟନ କରିଛି। ଏହି ୧୮ ଜଣିଆ ସ୍କ୍ୱାଡରୁ ପୃଥ୍ୱୀ ଶ’ ବାଦ ପଡ଼ିଛନ୍ତି। ସେ ଅଷ୍ଟ୍ରେଲିଆରେ କ୍ରମାଗତ ବିଫଳ ହେବାରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି। ସେହିପରି ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ସିରିଜର ଅଧାରୁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଥିବା ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା, ଉମେଶ ଯାଦବ ଓ ହନୁମା ବିହାରୀଙ୍କୁ ଇଂଲଣ୍ଡ ବିପକ୍ଷ ସ୍କ୍ୱାଡରେ ସାମିଲ କରାଯାଇ ନାହିଁ। ଶେଷ ଟେଷ୍ଟରେ ଭାରତ ପାଇଁ ଡେବ୍ୟୁ କରିଥିବା ଦ୍ରୁତ ବୋଲର ଟି ନଟରାଜନ ମଧ୍ୟ ୧୮ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇ ନାହାନ୍ତି।

ତେବେ ଦୀର୍ଘ ଦିନ ପରେ ଟେଷ୍ଟ କ୍ରିକେଟକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କମ୍ବ୍ୟାକ୍ ହୋଇଛି। କିଛି ଦିନ ତଳେ ପାଣ୍ଡ୍ୟା ତାଙ୍କ ବାପାଙ୍କୁ ହରାଇଥିଲେ। ହେଲେ ଆଜି ତାଙ୍କୁ ଖୁସି କରିବା ଭଳି ଖବର ମିଳିଛି। ସେହିପରି ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ସିରିଜ୍ରୁ ବାଦ୍ ପଡ଼ିଥିବା ଈଶାନ୍ତ ଶର୍ମା ମଧ୍ୟ ଦଳକୁ ଫେରିଛନ୍ତି। ନୂଆ ମୁହଁ ଭାବେ ଅକ୍ଷର ପଟେଲଙ୍କୁ ୧୮ ଜଣିଆ ସ୍କ୍ୱାଡରେ ସୁଯୋଗ ମିଳିଛି।

ଏହାବାଦ ଅଧିନାୟକ ବିରାଟ କୋହଲି ବି ଇଂଲଣ୍ଡ ବିପକ୍ଷ ସିରିଜ୍ ଖେଳିବେ। ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପରେ ପିତୃତ୍ୱ ଛୁଟି ନେଇ ସ୍ୱଦେଶ ଫେରି ଆସିଥିଲେ। ନିକଟରେ ସେ କନ୍ୟା ସନ୍ତାନର ବାପା ହୋଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ଯେଉଁମାନେ ଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳି ଇଂଲଣ୍ଡ ବିପକ୍ଷ ସିରିଜ୍ରେ ନିଜ ସ୍ଥାନ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଛନ୍ତି। କେଏଲ ରାହୁଲ ମୁଖ୍ୟ ସ୍କ୍ୱାଡରେ ଥିଲେ ହେଁ ତାଙ୍କ ଫିଟନେଶ ଉପରେ ସମସ୍ତଙ୍କ ନିଜର ରହିଛି। କାରଣ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ସିରିଜ୍ ପୂର୍ବରୁ ସେ ଆହତ ହୋଇଥିଲେ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶୁବମନ ଗିଲ, ଚେତେଶ୍ୱର ପୂଜାରା, ମୟଙ୍କ ଅଗ୍ରୱାଲ, ଅଜିଙ୍କ୍ୟ ରାହାଣେ, ରିଷଭ ପନ୍ତ, ରିଦ୍ଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଯଶପ୍ରୀତ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ଆର.ଅଶ୍ୱିନ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ।

Comments are closed.