ଇଭିଏମ୍ ବ୍ୟବହାର ବନ୍ଦ କରିବାକୁ ନେଇ ଆଦେବନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ – ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍‌)ର ବ୍ୟବହାର ବନ୍ଦ କରିବା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ଭବିଷ୍ୟତରେ ସବୁ ନିର୍ବାଚନ ଇଭିଏମ୍ ପରିବର୍ତ୍ତେ ବାଲଟ ପେପର ଜରିଆରେ କରିବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏହି ପ୍ରସଙ୍ଗରେ ପୂର୍ବରୁ ଶୁଣାଣି ହୋଇଛି ଓ ରାୟ ପ୍ରଦାନ କରାଯାଇଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ଆଇନଜୀବୀ ସିଆର ଜୟାସୁକିନ ନିର୍ବାଚନରେ ଇଭିଏମ୍‌ର ବ୍ୟବହାର ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସେ ଯୁକ୍ତି କରିଥିଲେ ଯେ, ବେଳେ ବେଳେ ଇଭିଏମ୍‌ରେ ଜାଲିଆତି ହେଉଥିବା ଅଭିଯୋଗ ଆସୁଛି । ଭବିଷ୍ୟତରେ ସବୁ ନିର୍ବାଚନରୁ ଇଭିଏମ୍ ବ୍ୟବହାର ବନ୍ଦ କରାଯାଉ । ନିର୍ବାଚନ କେବଳ ବାଲଟ୍ ପେପର ଦ୍ୱାରା କରାଯିବା ଉଚିତ ।

ଜଷ୍ଟିସ୍ ଏଏସ୍ ବୋପାନ୍ନା, ଆରବି ରାମସୁବ୍ରମଣ୍ୟମଙ୍କ ସହ ତିନି ଜଣିଆ ବେଞ୍ଚ୍‌ର ନେତୃତ୍ୱ ନେଉଥିବା ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେ କହିଥିଲେ ଯେ, ଆମେ ଏଭଳି ଦାବି ଉପରେ ଆଗରୁ ଶୁଣାଣି କରିସାରିଛୁ । ପୁଣିଥରେ ଏହି ପ୍ରସଙ୍ଗରେ ଶୁଣାଣି କରିବାର ଆବଶ୍ୟକତା ନାହିଁ । ତେବେ ଜୟାସୁକିନ୍ ପୁଣି ନିଜ ଦାବି ଉପରେ ଯୁକ୍ତି କରିବା ପରେ ପ୍ରଧାନ ବିଚାରପତି କହିଥିଲେ, ଆପଣ ଅନୁଚ୍ଛେଦ ୩୨ ଅନୁସାରେ ଏହି ପିଟିସନ ଦାୟର କରିଛନ୍ତି । ଏହି ଅନୁଚ୍ଛେଦ ମୌଳିକ ଅଧିକାର ଉଲ୍ଲଂଘନ ସମ୍ବନ୍ଧୀୟ । ଏହି ପ୍ରସଙ୍ଗରେ କାହାର ମୌଳିକ ଅଧିକାର ଉଲ୍ଲଂଘନ ହୋଇଛି କି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ, ମତଦାନ କରିବା ମୌଳିକ ଅଧିକାର ନୁହେଁ ।

Comments are closed.