ଓସ୍କାର ପୁରସ୍କାର ଦୌଡ଼ରୁ ବାଦ୍ ପଡିଲା ଭାରତୀୟ ଫିଲ୍ମ ‘ଜାଲ୍ଲିକାଟୁ’

ନୂଆଦିଲ୍ଳୀ – ଏଥର ମଧ୍ୟ ଭାରତର ଓସ୍କାର ଆଶା ମଉଳିଛି । ଭାରତୀୟ ଏଣ୍ଟ୍ରି ‘ଜାଲ୍ଲିକାଟୁ’ ଓସ୍କାରର ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ଦୌଡ଼ରୁ ବାଦ୍ ପଡିଛି । ୯୩ତମ ଓସ୍କାର ପୁରସ୍କାର ପାଇଁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ବର୍ଗରେ ୧୫ଟି ଫିଲ୍ମ ସର୍ଟଲିଷ୍ଟରେ ସ୍ଥାନ ପାଇଛନ୍ତି । ଏଥିରେ ଭାରତୀୟ ଫିଲ୍ମ ‘ଜାଲ୍ଲିକାଟୁ’ ନାହିଁ । ସର୍ଟଲିଷ୍ଟ ହୋଇଥିବା ୧୫ ଫିଲ୍ମ ମଧ୍ୟରୁ କେବଳ ପାଞ୍ଚଟି ଫିଲ୍ମ ଚୂଡାନ୍ତ ତାଲିକାରେ ସ୍ଥାନ ପାଇବ । ଅନ୍ତର୍ଜାତୀୟ ଶ୍ରେଷ୍ଠ ଫିଲ୍ମ ବର୍ଗରେ ଭାରତ ସମେତ ୯୩ଟି ଦେଶ ନିଜ ଏଣ୍ଟ୍ରି ପଠାଇଥିଲେ । ବିଭିନ୍ନ ବର୍ଗର ଚୂଡାନ୍ତ ତାଲିକା ମାର୍ଚ୍ଚ ୧୫ରେ ଘୋଷଣା କରାଯିବ ।
ଲିଜୋ ଜୋସ ପେଲିସେରିଙ୍କ ନିର୍ଦ୍ଦେଶିତ ମାଲାୟାଲମ ଫିଲ୍ମ ‘ଜାଲ୍ଲିକାଟୁ’ ହରୀଶଙ୍କ ରଚିତ ଏକ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ । ଏହି ଫିଲ୍ମ ପ୍ରଥମେ ସେପ୍ଟେମ୍ବର ୬, ୨୦୧୯ରେ ଟରୋଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ଉତ୍ସବରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ‘ଜାଲ୍ଲିକାଟୁ’ ପାଇଁ ଭାରତର ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ପେଲିସେରିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଥିଲା ।

ଏଯାବତ ଭାରତର ଗୋଟିଏ ବି ଫିଲ୍ମ ଓସ୍କାର ପୁରସ୍କାର ଜିତିପାରି ନାହିଁ । ଶେଷଥର ପାଇଁ ୨୦୦୧ରେ ଆଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶିତ ‘ଲଗାନ’ ଓସ୍କାରର ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଚୂଡାନ୍ତ ପାଞ୍ଚ ତାଲିକାରେ ସ୍ଥାନ ପାଇଥିଲା । ତା’ ପୂର୍ବରୁ ଭାରତର ଆଉ ଦୁଇ ଚଳଚ୍ଚିତ୍ର ମଦର ଇଣ୍ଡିଆ (୧୯୫୮) ଓ ସଲାମ ବମ୍ବେ (୧୯୮୯) ମଧ୍ୟ ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବର୍ଗରେ ଟପ୍‌-୫ରେ ମନୋନୀତ ହୋଇଥିଲେ ମଧ୍ୟ ଓସ୍କାର ଟ୍ରଫି ଜିତିପାରିନଥିଲେ ।

କରୋନା କାରଣରୁ ଏଥର ଓସ୍କାର ପୁରସ୍କାର ଫେବୃୟାରୀ ପରିବର୍ତ୍ତେ ଏପ୍ରିଲ ୨୫ରେ ଅନୁଷ୍ଠିତ ହେବ ।

Comments are closed.