କରୋନା ସଂକ୍ରମିତ ରାହୁଲଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କରୋନା ପଜିଟିଭ୍ ହୋଇଛନ୍ତି । ରାହୁଲ ନିଜେ ଟ୍ୱିଟ୍ କରି ସେ କୋଭିଡ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ରାହୁଲ କୋଭିଡ୍ ପଜିଟିଭ୍ ହେବା ପରେ ତାଙ୍କ ସୁସ୍ଥତା କାମନା କରି ତାଙ୍କ ପାଖକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ରାହୁଲଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୋଦି ଟ୍ବିଟ୍ କରି କହିଛନ୍ତି ଯେ, ମୁଁ ଲୋକସଭା ସାଂସଦ ରାହୁଲ ଗାନ୍ଧୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦ୍ରୁତ ଆରୋଗ୍ୟ କାମନା କରୁଛି।

ପୂର୍ବରୁ ରାହୁଲ ଟ୍ୱିଟ୍ କରି ସେ କରୋନା ପଜିଟିଭ୍ ହୋଇଥିବା ସୂଚନା ଦେଇଥିଲେ । ରାହୁଲ କହିଥିଲେ ଯେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ସେ ନିଜର କୋଭିଡ୍ ଟେଷ୍ଟ କରିଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଯେଉଁମାନେ ତାଙ୍କ ସହ ସଂସ୍ପର୍ଶରେ ଆସିଥିଲେ, ସେମାନେ ସବୁ କରୋନା ପ୍ରୋଟୋକଲ୍ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ରାହୁଲ ଅନୁରୋଧ କରିଥିଲେ ।

ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା କୋଭିଡ ପଜିଟିଭ୍ ହୋଇଥିଲେ । ଉଭୟ ସମ୍ପ୍ରତି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନାର ନୂଆ ମାମଲା ବଢିବାରେ ଲାଗିଛି। ସୋମବାର ଦିନ ୨୩,୬୮୬ ଲୋକ ସଂକ୍ରମିତ ହୋଇଥିଲେ ଏବଂ ୨୪୦ ରୋଗୀଙ୍କର ମୃତ୍ୟୁ ହୋଇଥିଲା।

Comments are closed.