କାଲିଠାରୁ ୧୯ ତାରିଖ ଯାଏଁ ସାରାରାଜ୍ୟରେ ଲକଡାଉନ୍

‌ଭୁବନେଶ୍ୱର- ଦ୍ୱିତୀୟ ଲହର କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟରେ ଆସନ୍ତାକାଲିଠାରୁ ୧୪ ଦିନିଆ ଲକଡାଉନ ଜାରି ହେବାକୁ ଯାଉଛି । ମେ ୧୯ ତାରିଖ ଯାଏଁ ଲକଡାଉନ ଜାରି ହେବ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ମେ ୨ ତାରିଖରେ ଘୋଷଣା କରାଯାଇଥିଲା ।
ଲକ୍‌ଡାଉନ ବେଳେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସକାଳ ୬ଟାରୁ ମେ ୧୯ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ପୂର୍ବର ସପ୍ତାହାନ୍ତ ସଟଡାଉନ ନିଷ୍ପତ୍ତି ମଧ୍ୟ ଜାରି ରହିବ । ଲକଡାଉନରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ରାସ୍ତାକଡ ଖାଦ୍ୟ ଦୋକାନ, ଗୋଟିକିଆ ପନିପରିବା, ଫଳ, ମାଛ ଓ ମାଂସ ଆଦି ଦୋକାନ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଖୋଲିପାରିବ । କିନ୍ତୁ ଗୋଟିଏ ଦୋକାନରୁ ଅନ୍ୟ ଦୋକାନର ଦୂରତା ଅତିକମରେ ୩୦ ଫୁଟ ରହିବ । ଗ୍ରାହକ ଓ ବିକ୍ରେତା ଉଭୟ କଡାକଡି ଭାବେ କୋଭିଡ ନିୟମ ପାଳିବେ । ଦୈନନ୍ଦିନ ଓ ସାପ୍ତାହିକ ହାଟ ବନ୍ଦ ରହିବ । ଲୋକେ ନିଜର ଆବଶ୍ୟକ ଖାଦ୍ୟ ପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ । ବିଭିନ୍ନ ଅନଲାଇନ୍ ବିକ୍ରି ସଂସ୍ଥାମାନେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ହୋନ ଡେଲିଭରି କରିପାରିବେ ।

ସ୍ୱାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା,ଟେଲିଫୋନ ଓ ଇଂଟରନେଟ ସେବା, ଡିଚିଏଚ ସେବା, ଗ୍ୟାସ ବିତରଣ ଓ ପେଟ୍ରୋଲ ପମ୍ପ ଖୋଲା ରହିବ । କୃଷି ଓ ଆନୁସଙ୍ଗିକ କାର୍ଯ୍ୟନିମନ୍ତେ ଆବଶ୍ୟକ ବିହନ, ସାର ଓ କୀଟନାଶକ ଦ୍ରବ୍ୟ ଦୋକାନ ଖୋଲାରହିବ । ସପ୍ତାହାନ୍ତ ସଟଡାଉନରେ ସମସ୍ତ ଖାଦ୍ୟ, ପନିପରିବା, ତେଜରାତି ଓ ମାଛମାଂସ ଦୋକାନ ବନ୍ଦ ରହିବ । କେବଳ ଔଷଧ ଦୋକାନ ଖୋଲା ରହିବ ।

ଲକଡାଉନ ବେଳେ ବସ ଚଳାଚଳ ବନ୍ଦ ରହିବ । ସମସ୍ତ ପ୍ରକାର ପ୍ରଦର୍ଶନୀ, ମେଳା, ସମ୍ମିଳନୀ, ସିନେମାହଲ୍‌, ମାର୍କେଟ କଂପ୍ଲେକ୍ସ, ମଲ୍‌, ଜିମ୍‌, ଥିଏଟର, ବାର୍‌, ଯାତ୍ରା, ଅପେରା ଆଦି ସର୍ବସାଧାରଣ ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରହିବ । ସେଲୁନ୍‌, ସ୍ପା ଓ ବିୟୁଟି ପାର୍ଲର ବନ୍ଦ ରହିବ । ଧାର୍ମିକ ସମାବେଶକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।

Comments are closed.