କାଲିଠୁ ୧୦୦% ଦର୍ଶକ ଉପସ୍ଥିତି ସହ ଖୋଲିବ ସିନେମା ହଲ୍‌

ନୂଆଦିଲ୍ଲୀ – ସିନେପ୍ରେମୀଙ୍କ ପାଇଁ ଖୁସି ଖବର । ଫେବୃୟାରୀ ୧ରୁ ସାରାଦେଶରେ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବ । ଏନେଇ ଜାନୁୟାରୀ ୨୭ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ମଞ୍ଜୁରି ଦିଆଯାଇଥିଲା । ଏନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର (ଏସ୍‌ଓପି) ଜାରି କରାଯାଇଛି । ଜାରି ହୋଇଥିବା ଏସ୍‌ଓପି ମୁତାବକ ଆସନ୍ତାକାଲି ଠାରୁ ସିନେମା ହଲ୍ ଓ ଥିଏଟର ୧୦୦% ଦର୍ଶକ ଉପସ୍ଥିତି ସହ ଖୋଲା ଯାଇପାରିବ । ତେବେ ହଲ୍ ଭିତରେ ଓ ବାହାରେ ଥିବା କମନ୍ ଏରିଆରେ ଭିଡ଼ ନିୟନ୍ତ୍ରଣ କରିବା ଓ ସାମାଜିକ ଦୂରତା ରଖିବା ସହ ସବୁ କୋଭିଡ୍ ପ୍ରୋଟୋକଲର ଅନୁପାଳନ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମନ୍ତ୍ରାଳୟର ଏସ୍‌ଓପି ମୁତାବକ, ୱେଟିଂ ରୁମ୍ ତଥା ସିନେମା ହଲ୍ ଓ ଥିଏଟର ବାହାରେ ଲୋକଙ୍କ ମଧ୍ୟରେ ୬ ଫୁଟର ଦୂରତା ରହିବାକୁ ପଡିବ । ଲୋକମାନଙ୍କୁ ଫେସ୍ କଭର ସିଲ୍ଡ କିମ୍ବା ମାସ୍କ ପିନ୍ଧି ହଲ୍ ଭିତରକୁ ପ୍ରବେଶ କରିବାକୁ ପଡିବ । ଶେଷ ପର୍ଯ୍ୟନ୍ତ ଲୋକଙ୍କୁ ମାସ୍କ ପିନ୍ଧି ରହିବାକୁ ପଡିବ । ହଲର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ତଥା ଟଏଲଟ୍ ଭଳି ସ୍ଥାନରେ ଟଚ୍‌-ଫ୍ରି ମୋଡ୍‌ରେ ହ୍ୟାଣ୍ଡ୍ ସାନିଟାଇଜର ରଖିବା ବାଧ୍ୟତାମୂଳକ କରାଯାଇଛି । ସିନେମା ଦେଖିବାକୁ ଆସିଥିବା ଦର୍ଶକଙ୍କ ପାଇଁ ମଧ୍ୟ କିଛି ମାର୍ଗଦର୍ଶିକ ଜାରି କରାଯାଇଛି । କାଶିବା ଓ ଛିଙ୍କିବା ବେଳେ ଦର୍ଶକମାନେ ଟିସୁ ପେସର କିମ୍ବା ରୁମାଲ ଦ୍ୱାରା ମୁହଁକୁ ଘୋଡ଼ାଇ ରଖିବେ । ବ୍ୟବହୃତ ଟିସୁ ପେପରକୁ ଏଣେ ତେଣେ ପିଙ୍ଗିବେ ନାହିଁ ।

ସିନେମା ହଲ ଭିତରେ କିମ୍ବା ବାହାରେ ଛେପ ପକାଇବା ଉପରେ କଟକଣା ଲଗାଯାଇଛି । ଏହାଛଡ଼ା ଦର୍ଶକ ମାନଙ୍କୁ ନିଜ ଫୋନ୍‌ରେ ‘ଆରୋଗ୍ୟ ସେତୁ’ ଆପ୍ ଡାଉନ୍‌ଲୋଡ୍ କରିବାକୁ ପଡିବ । ସିନେମା ହଲ୍‌, ମଲ୍ଟିପ୍ଲେକ୍ସ କିମ୍ବା ଥିଏଟରକୁ ପ୍ରତି ଶୋ’ ପରେ ସାନିଟାଇଜ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.