କୁମାରଖୁଂଟିରେ ପ୍ରତିଷ୍ଠା ହେବ ହାତୀ ଥଇଥାନ କେନ୍ଦ୍ର , ଶିଳାନ୍ୟାସ କଲେ ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ

ଭୁବନେଶ୍ୱର – ଚନ୍ଦକା-ଡମପଡା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଥିବା କୁମାରଖୁଂଟିଠାରେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ହାତୀ ଥଇଥାନ କେନ୍ଦ୍ରର ଭିତିପ୍ରସ୍ଥର ସ୍ଥାପନ କରିଛନ୍ତି । ସାଢେ ଦଶ ହେକ୍ଟର ପରିମିତ ସ୍ଥାନରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ଏହି ହାତୀ ଥଇଥାନ କେନ୍ଦ୍ର ନିର୍ମାଣ କରାଯିବ । କେନ୍ଦ୍ର ସରକାର ଏହାକୁ ଅନୁମତି ଦେଇସାରିଛନ୍ତି । ତିନି ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଆବଶ୍ୟକସ୍ଥଳେ ଏହିଭଳି ୪ଟି ଅସ୍ଥାୟୀ ହାତୀ ଆଶ୍ରୟସ୍ଥଳର ନିର୍ମାଣ କରାଯିବ । ଉଦ୍ଧରା କରାଯାଉଥିବା ହାତୀମାନଙ୍କୁ ଏଠାରେ ଆଶ୍ରୟ ଦେଇ ସେମାନଙ୍କ ସେବା ଶୁଶ୍‌ୁଷା ଓ ଚିକିତ୍ସା କରାଯିବ । ମାଆଠାରୁ ଅଲଗା ହୋଇଯାଇଥିବା ହାତୀ ଶାବକମାନଙ୍କୁ ମଧ୍ୟ ଏଠାରେ ରଖାଯିବ । ଏଥିପାଇଁ ଅଭିଜ୍ଞ ମାହୁନ୍ତମାନଙ୍କୁ ନିୟୋଜିତ କରାଯିବ । ହାତୀ ଚିକିତ୍ସା କ୍ଷେତ୍ରରେ ଅଭିଜ୍ଞତା ହାସଲ କରିଥିବା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କୁ ନିୟୋଜିତ କରାଯାଇ ହାତୀ ଚିକିତ୍ସାକୁ ତ୍ୱରାନ୍ୱିତ କରାଯିବ ।

ହାତୀ ଜନବସତି ମଧ୍ୟରେ ପ୍ରବେଶ କରି କ୍ଷତି ଘଟାଇବା ସମସ୍ୟାର ସମାଧାନ ସଂପର୍କରେ କେନ୍ଦ୍ର ସରକାର ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛନ୍ତି । ସେଥିପାଇଁ ‘ପ୍ରକଳ୍ପ ହାତୀ’ ସାରାଦେଶରେ କାର୍ଯ୍ୟକାରୀ ହେଉଛି । ଏହି ଯୋଜନା ଅନୁସାରେ ହାତୀ ଉଦ୍ଧାର ଓ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ପାଇଁ କୁହାଯାଇଛି । ଏଥିରେ ଆହତ ହାତୀମାନଙ୍କୁ ରଖାଯାଇ ସେମାନଙ୍କ ଚିକିତ୍ସା କରାଯାଇପାରିବ ।

ଓଡିଶାରେ ପ୍ରାୟ ଦୁଇ ହଜାର ହାତୀ ରହିଛନ୍ତି । ମଣିଷ-ହାତୀ ଲଢେଇରେ ପ୍ରାୟ ୮୦ଟି ହାତୀ ମୃତ୍ୟୁମୁଖରେ ପଡୁଥିଲା ବେଳେ ପ୍ରାୟ ୧୦୦ ଜଣ ଲୋକ ପ୍ରାଣ ହରାଇଥାନ୍ତି । ଏହା ବ୍ୟତୀତ ବନ ବିଭାଗର କର୍ମଚାରୀ ଓ ଅନ୍ୟ ସାଧାରଣ ଲୋକଙ୍କ ବ୍ୟାପକ ଧନଜୀବନ ହାନି ଘଟିଥାଏ ।
ହାତୀମାନଙ୍କ ପାଇଁ ଏହି ଥାଇଥାନ କେନ୍ଦ୍ର ବା ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରତିଷ୍ଠା ହାତୀ ଉଦ୍ଧାର ଓ ପୁନର୍ବାସ କ୍ଷେତ୍ରରେ ଏକ ନୂଆ ମାଇଲଖୁଂଟ୍ ହେବ ବୋଲି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।

Comments are closed.