କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ହିଂସା, ଚାଷୀ-ପୋଲିସ୍ ମୁହାଁମୁହିଁ, ଲାଲ୍ କିଲ୍ଲାରେ ପତାକା ଉଡ଼ାଇଲେ ଚାଷୀ, ଦିଲ୍ଲୀ-ଏନ୍‌ସିଆରର ବହୁ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆଜି କୃଷକଙ୍କ ଟ୍ରାକ୍ଟର ପରେଡ୍ ବେଳେ ହିଂସାକାଣ୍ଡ ଘଟିଛି । ଚାଷୀମାନେ ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିଛନ୍ତି । ଅନେକ ସ୍ଥାନରେ ଚାଷୀ ଓ ପୋଲିସ୍ ମୁହାଁମୁହିଁ ହୋଇଛନ୍ତି । କିଛି ବିକ୍ଷୋଭକାରୀ ଲାଲ୍ କିଲ୍ଲାକୁ ନିଜ କବ୍‌ଜାକୁ ନେଇ ସେଠାରେ ‘ଖାଲସା ପନ୍ତ’ ଓ କୃଷକ ସଂଗଠନଙ୍କ ପତାକା ଉଡ଼ାଇଛନ୍ତି । ସେଠାରୁ ଚାଷୀଙ୍କୁ ହଟାଇବା ପାଇଁ ପୋଲିିସ୍ ଉଦ୍ୟମ ଜାରି ରଖିଛି । ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ଏବଂ ଗୁଜବ ପ୍ରଚାରକୁ ରୋକିବା ପାଇଁ ଦିଲ୍ଲୀ-ଏନ୍‌ସିଆରର କିଛି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଆଇଟିଓ ନିକଟରେ ଟ୍ରାକ୍ଟର ଓଲଟି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।

ଆଜି ଦିଲ୍ଲୀରେ ଗୋଟିଏ ପଟେ ସାଧାରଣତନ୍ତ୍ର ଦିବସ ପରେଡ୍ ଚାଲିଥିଲା ବେଳେ ଅନ୍ୟପଟେ କୃଷକ ସଂଗଠନମାନେ ନିଜର ପୂର୍ବ ନିର୍ଦ୍ଧାରିତ ଟ୍ରାକ୍ଟର ପରେଡ୍ ବାହାର କରିଥିଲେ । କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରୁ ନିଜ ଟ୍ରାକ୍ଟର ଟ୍ରଲି ଧରି ଦିଲ୍ଲୀ ଆଡକୁ ମୁହାଁଇଥିଲେ । ଜାତୀୟ ପରେଡ୍ ଶେଷ ହେବା ପରେ ଅର୍ଥାତ୍ ମଧ୍ୟାହ୍ନ ୧୨ଟା ପରେ ନିଜ ରାଲି ବାହାର କରିବାକୁ କୃଷକ ମାନଙ୍କୁ ଅନୁମତି ଦିଆଯାଇଥିଲା । କିନ୍ତୁ କୃଷକ ମାନେ ଧାର୍ଯ୍ୟ ସମୟର ବହୁ ଆଗରୁ ହିଁ ଟ୍ରାକ୍ଟର ପରେଡ୍ ବାହାର କରି ଦିଲ୍ଲୀ ଆଡକୁ ମାଡି ଚାଲିଥିଲେ । ଧାର୍ଯ୍ୟ ରୁଟ୍‌ରେ ନ ଯାଇ ସେମାନେ ଅନ୍ୟ ରାସ୍ତା ପଟେ ଦିଲ୍ଲୀରେ ପହଞ୍ôଚଥିଲେ । ସେମାନେ ବହୁ ସ୍ଥାନରେ ପୋଲିସ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ଭିତରକୁ ପଶିଥିଲେ । ଚାଷୀମାନଙ୍କୁ ରୋକିବା ପାଇଁ ପୋଲିସ୍ ଲାଠିଚାର୍ଜ କରିବା ସହ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । କିଛି ସ୍ଥାନରେ ଚାଷୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଇଟିଓ ନିକଟରେ ପୋଲିସ୍‌ର ଲାଠିଚାର୍ଜର ଜବାବରେ ଚାଷୀମାନେ ଟେକା ମାଡ଼ କରିଥିଲେ । ଏହି ସଂଘର୍ଷରେ ଉଭୟ ପକ୍ଷର ଅନେକ ଆହତ ହୋଇଥିଲେ । ଆଇଟିଓରେ ଟ୍ରାକ୍ଟର ଓଲଟି ଜଣେ ଚାଷୀଙ୍କ ମୃତ୍ୟୁ ବି ହୋଇଥିଲା । ତେବେ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ପୋଲିସ୍ ଫାୟାରିଂ ଯୋଗୁଁ ଉକ୍ତ ଚାଷୀଙ୍କ ମୃତ୍ୟୁ ହୋଇଛି ।

ସେହିପରି ନାଙ୍ଗଲୋଇ ରେ ମଧ୍ୟ ପୋଲିସ୍ ଓ କୃଷକ ମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । କିଛି କୃଷକ ଲାଲ୍ କିଲ୍ଲାରେ ପହଞ୍ଚି ଯାଇଥିଲେ । ଲାଲ୍ କିଲ୍ଲାରେ କୃଷକ ମାନେ ନିଜର ପତାକା ଉତ୍ତୋଳନ କରିଥିଲେ । ସେଠାରୁ ସେମାନଙ୍କୁ ଘଉଡାଇବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା ।

Comments are closed.