କୃଷି ଆଇନକୁ ଦେଢ଼ବର୍ଷ ସ୍ଥଗିତ ରଖିବା ନେଇ କେନ୍ଦ୍ରର ପ୍ରସ୍ତାବକୁ ଚାଷୀଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ – କୃଷି ଆଇନକୁ ଦେଢ଼ବର୍ଷ ସ୍ଥଗିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ବି ଖାରଜ କରିଦେଇଛନ୍ତି ଆନ୍ଦୋଳନରତ ଚାଷୀ । ଏହି ବିବାଦୀୟ ତିନି ଆଇନ ରଦ୍ଦ ନ ହେବା ଯାଏଁ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ରୋକଠୋକ୍ ସରକାରଙ୍କୁ କହିଛନ୍ତି । ଗତକାଲି ଦଶମ ରାଉଣ୍ଡ ଆଲୋଚନା ପରେ କେନ୍ଦ୍ର ସରକାର କୃଷି ଆଇନକୁ ଦେଢ଼ବର୍ଷ ଯାଏଁ ସ୍ଥଗିତ ରଖିବାକୁ ଚାଷୀଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ଉପରେ ବିଚାର କରିବାକୁ କୃଷକ ସଂଗଠନମାନଙ୍କୁ ସରକାର କହିଥିଲେ । ହେଲେ ଆଜି ଅଧିକାଂଶ କୃଷକ ସଂଗଠନ ସରକାରଙ୍କ ଏହି ସଦ୍ୟତମ ପ୍ରସ୍ତାବକୁ ଖାରଜ କରିଛନ୍ତି । ସେମାନେ କହିଛନ୍ତି ଯେ, ଗଣତନ୍ତ୍ର ଦିବସରେ ସେମାନଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ନେଇ ସରକାର ଡରିଯାଇଛନ୍ତି । ତେଣୁ ଚାଷୀଙ୍କୁ ମନାଇବା ପାଇଁ ବୃଥା ପ୍ରୟାସ କରୁଛନ୍ତି ।

ଏହା ପୂର୍ବରୁ ଟ୍ରାକ୍ଟର ରାଲି ନେଇ କୃଷକ ସଂଗଠନ ଓ ଦିଲ୍ଲୀ ପୋଲିସ ମଧ୍ୟରେ ବୈଠକ ବି ବିଫଳ ହୋଇଥିଲ । ଜାତୀୟ ରାଜଧାନୀର ଆଉଟର ରିଙ୍ଗ୍ ରୋଡ୍‌ରେ ଚାଷୀ ଟ୍ରାକ୍ଟର ରାଲି କରନ୍ତୁ ବୋଲି ଦିଲ୍ଲୀ ପୋଲିସ ଚାହୁଁନାହିଁ । କିନ୍ତୁ ଚାଷୀମାନେ ଦିଲ୍ଲୀ ପୋଲିସର କଥା ଶୁଣିନାହାନ୍ତି ।

Comments are closed.