କୃଷି ଆଇନ ନେଇ ଡିସେମ୍ବର ୩୦ରେ ପୁଣି ସରକାର-ଚାଷୀ ଆଲୋଚନା

ନୂଆଦିଲ୍ଲୀ – କୃଷି ଆଇନକୁ ନେଇ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ପାଇଁ ଆସନ୍ତା ଡିସେମ୍ବର ୩୦ରେ କେନ୍ଦ୍ର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ । ଏଥିପାଇଁ ସରକାର ଆଜି ଆନ୍ଦୋଳନରତ ପ୍ରାୟ ୪୦ କୃଷକ ସଂଗଠନ ମାନଙ୍କୁ ନିମନ୍ତ୍ରଣ ପଠାଇଛନ୍ତି । ଚାଷୀଙ୍କ ସବୁ ଆପତ୍ତି ଅଭିଯୋଗର ନୈତିକ ସମଧାନ ବାହାର କରିବାକୁ ଉଦ୍ୟମ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । କୃଷି ଆଇନକୁ ରଦ୍ଦ କରିବା ସର୍ତ୍ତ ସହ ମଙ୍ଗଳବାର ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ କୃଷକ ସଂଗଠନ ଗୁଡିକ ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହାର ଦିନକ ପରେ ସରକାର ଆନ୍ଦୋଳନରତ ଚାଷୀଙ୍କୁ ଆଲୋଚନା କରିବାକୁ ନିମନ୍ତ୍ରଣ ପଠାଇଛନ୍ତି ।

ଆସନ୍ତା ବୁଧବାର ଅପରାହ୍ନ ୨ଟାରେ ବିଜ୍ଞାନ ଭବନରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ ବୋଲି କୃଷି ବିଭାଗ ସଚିବ ସଞ୍ଜୟ ଅଗ୍ରୱାଲ କୃଷକ ସଂଗଠନ ମାନଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଶେଷଥର ଡିସେମ୍ବର ୫ରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ସରକାର ‘ହଁ’ କିମ୍ବା ‘ନା’ରେ ସ୍ପଷ୍ଟ ଉତ୍ତର ଦେବାକୁ କୃଷକ ନେତାମାନେ ଦାବି କରିଥିଲେ । ପୁଣିଥରେ ଆଲୋଚନା ଆରମ୍ଭ କରିବାକୁ କୃଷକ ସଂଗଠନ ମାନଙ୍କର ପ୍ରସ୍ତାବକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ଖୋଲାମନ ଓ ସ୍ପଷ୍ଟ ଆଭିମୁଖ୍ୟ ସହ ଏହି ଅଚଳାବସ୍ଥାର ସମାଧାନ ବାହାର କରିବାକୁ ସଂକଳ୍ପବଦ୍ଧ ବୋଲି ଅଗ୍ରୱାଲ ଚିଠିରେ ଉଲ୍ଳେଖ କରିଛନ୍ତି । କୃଷକ ସଂଗଠନ ମାନଙ୍କ ତରଫରୁ ପ୍ରସ୍ତାବିତ ଏଜେଣ୍ଡା ସମ୍ପର୍କରେ ଅଗ୍ରୱାଲ କହିଛନ୍ତି ଯେ, ତିନି କୃଷି ଆଇନ, ଏମ୍‌ଏସପି, ଇଲେକ୍ଟ୍ରିସିଟି ଓ ବାୟୁ ପ୍ରଦୂଷଣ ଆଇନ ଉପରେ ବିସ୍ତୃତ ଆଲୋଚନା ହେବ । ତେବେ ଆଲୋଚନା ପାଇଁ କୃଷକ ସଂଗଠନ ରଖିଥିବା ସର୍ତ୍ତ ମଧ୍ୟରୁ କୌଣସି ଗୋଟିଏ ସମ୍ପର୍କରେ ଉକ୍ତ ଚିଠିରେ ଉଲ୍ଳେଖ କରାଯାଇ ନାହିଁ । ସୂଚନାଯୋଗ୍ୟ ଯେ, ଏଯାବତ୍ ସରକାର ଓ ବିଭିନ୍ନ କୃଷକ ସଂଗଠନ ମାନଙ୍କ ମଧ୍ୟରେ ପାଞ୍ଚ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

Comments are closed.