କୋଭିଡ୍ ଟିକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି, ସଫେଇ କର୍ମଚାରୀ ମନିଷ କୁମାର ନେଲେ ପ୍ରଥମ ଟିକା

ନୂଆଦିଲ୍ଲୀ – ଆରମ୍ଭ ହୋଇଛି କରୋନା ବିରୋଧରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ଏମ୍ସର ଜଣେ ସଫେଇ କର୍ମଚାରୀ ମନିଷ କୁମାର ଦେଶର ପ୍ରଥମ ବ୍ୟକ୍ତି ଭାବେ କରୋନା ଟିକା ନେଇଛନ୍ତି । ଦିଲ୍ଲୀ ଏମ୍ସରେ ତାଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ପ୍ରଥମ ଡୋଜ୍ ଦିଆଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଭାଗ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ । ପ୍ରଥମ ଦିନରେ ପ୍ରାୟ ତିନି ଲକ୍ଷ ଲୋକଙ୍କୁ ଟିକା ଦିଆଯିବ । ଟିକାଣରଣ ଅଭିଯାନକୁ ଶୁଭାରମ୍ଭ କରିବା ଅବସରରେ ଦଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବହୁ କମ ସମୟରେ ଟିକା ତିଆରି ହୋଇଛି । ଦୁନିଆର ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତଙ୍କୁ ମୋର ଶୁଭେଚ୍ଛା । ମୋଦି ମଧ୍ୟ ଭାବବିହ୍ୱଳ ହୋଇପଡିଥିଲେ । ଆମକୁ ବଞ୍ଚାଇବା ପାଇଁ ବହୁ ଲୋକ ନିଜର ଜୀବନ ହରାଇଛନ୍ତି । ଏବେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକା ଲଗାଇ ସମାଜ ସେମାନଙ୍କ ଋଣ ପରିଶୋଧ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦେଶର ୩୦୦୬ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଚାଲିବ । ପ୍ରତି କେନ୍ଦ୍ରରେ ଅତିକମରେ ୧୦୦ ଲୋକଙ୍କୁ ଟିକା ଲଗାଯିବ । କରୋନା ଟିକା ଦେଶକୁ ଉତ୍ସର୍ଗ କରିବା ଅବସରରେ ମୋଦି ଟିକା ନର୍ମାତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବୁଢ଼ା ଠାରୁ ପିଲାପର୍ଯ୍ୟନ୍ତ ସମେସ୍ତ ଟିକାକୁ ଅପେକ୍ଷା କରି ରହିଥିଲେ । ଏବେ ସେହି ଅପେକ୍ଷା ଶେଷ ହୋଇଛି । ଟିକା ଆସିଯାଇଛି । ଭ୍ୟାକ୍ସିନ୍ ପ୍ରସ୍ତୁତିରେ ନିୟୋଜିତ ସବୁ ବୈଜ୍ଞାନିକ ଧନ୍ୟବାଦର ପାତ୍ର । ବୈଜ୍ଞାନିକମାନେ ଟିକା ପ୍ରସ୍ତୁତ କରିବାକୁ ଦିନରାତି ଏକା କରିଦେଇଥିଲେ । ଏତେ କମ୍ ଦିନରେ କେବଳ ଗୋଟିଏ ନୁହେଁ ଦୁଇ ଦୁଇଟି ଭାରତ ନିର୍ମିତ ଟିକା ପ୍ରସ୍ତୁତ ହୋଇଛି ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମାନବିକତା ଆଧାରରେ ଏହିି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯେଉଁ ଲୋକଙ୍କୁ କରୋନା ସଂକ୍ରମଣର ଅଧିକ ରିସ୍କ ରହିଛି, ସେମାନଙ୍କୁ ପ୍ରଥମେ କୋଭିଡ୍ ଟିକା ଦିଆଯିବ । ଲୋକମାନଙ୍କୁ ଟିକାର ଦୁଇଟି ଯାକ ଡୋଜ୍ ନେବା ଜରୁରୀ ବୋଲି ମୋଦି କହିଛନ୍ତି । ପ୍ରଥମ ଡୋଜ୍ ନେବା ପରେ ଦ୍ୱିତୀୟ ଡୋଜ୍ କେବେ ଦିଆଯିବ, ସେ ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯିବ ।

Comments are closed.