କୋଭିଡ୍ ସ୍ଥିତି ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ଜାତୀୟ ଯୋଜନା କଣ ରହିଛି ଜଣାଇବାକୁ କହିଲେ

ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ନିଜଆଡୁ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି। ଅମ୍ଳଜାନ, ଅତ୍ୟାବଶ୍ୟକ ଔଷଧ ଯୋଗାଣ ଏବଂ ଟୀକାକରଣ ଢାଞ୍ଚା ଉପରେ କଣ ଜାତୀୟ ଯୋଜନା ପ୍ରସ୍ତୁତ ହୋଇଛି ସେନେଇ ଜଣାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି । କୋର୍ଟ କହିଛନ୍ତି ଯେ କୋଭିଡ ସମ୍ବନ୍ଧୀୟ ମାମଲାର ଦେଶର ୬ଟି ହାଇକୋର୍ଟର ଶୁଣାଣି ଚାଲିଥିବାବେଳେ ଏହା ଏକ ପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ।

ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଆମେ ଦେଖୁଛୁ ଯେ କରୋନା ଏବଂ ଅମ୍ଳଜାନ ଭଳି ପ୍ରସଙ୍ଗରେ ଦିଲ୍ଲୀ, ବମ୍ବେ, ସିକ୍କିମ୍, ମଧ୍ୟପ୍ରଦେଶ, କୋଲକାତା ଏବଂ ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ଚାଲିଛି। ଏହା ଦ୍ବାରା ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ଏହି ମାମଲାରେ ଜାତୀୟ ଯୋଜନା କଣ ରହିଛି ସେ ସମ୍ପର୍କରେ ଜଣାଇବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କୋର୍ଟ କହିଛନ୍ତି। ଏ ବିଷୟରେ ହାଇକୋର୍ଟ ଗୁଡିକୁ ମଧ୍ୟ ଜଣାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଡ -୧୯ ସ୍ଥିତି ସମ୍ବନ୍ଧୀୟ ମାମଲାର ଶୁଣାଣିରେ ସହାୟତା ପାଇଁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କୁ ନ୍ୟାୟ ମିତ୍ର (ଆମିକସ କ୍ୟୁରି) ଭାବେ ନିଯୁକ୍ତ କରିଛନ୍ତି। ଶୁକ୍ରବାର ଦିନ କୋର୍ଟ ଏହି ମାମଲାର ଶୁଣାଣି କରିବେ। କୋଭିଡ -୧୯ ବିଶ୍ୱ ମହାମାରୀ ମଧ୍ୟରେ ଲକଡାଉନ୍ ଘୋଷଣା କରିବାକୁ ହାଇକୋର୍ଟର ନ୍ୟାୟିକ କ୍ଷମତାକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Comments are closed.