‘କୋଭିସିଲ୍ଡ’ ଟିକା ନେଇ କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌, ମାସେ ବଦଳରେ ଦୁଇ ମାସ ବ୍ୟବଧାନରେ ଦିଆଯିବ ଦ୍ୱିତୀୟ ଡୋଜ୍

‌ନୂଆଦିଲ୍ଲୀ – ‘କୋଭିସିଲ୍ଡ’ କରୋନା ଟିକାର ବ୍ୟବହାର ନେଇ କେନ୍ଦ୍ର ସରକାର ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଏହି ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି କରାଯାଇଛି । ନୂଆ ଗାଇଡ୍ ଲାଇନ୍ ମୁତାବକ ‘କୋଭିସିଲ୍ଡ’ର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୬ରୁ ୮ ସପ୍ତାହ ବ୍ୟବଧାନ ରଖିବାକୁ କୁହାଯାଇଛି । ଏନେଇ କେନ୍ଦ୍ର ସରକାର ସବୁ ରାଜ୍ୟ ମାନଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।

ସମ୍ପ୍ରତି ‘କୋଭିସିଲ୍ଡ’ ଟିକାର ଦ୍ୱିତୀୟ ଡୋଜ୍ ୨୮ ଦିନ ବ୍ୟବଧାନରେ ଦିଆଯାଉଛି । ଏଣିକି ଦ୍ୱିତୀୟ ଡୋଜ୍ ୬ରୁ ୮ ସପ୍ତାହ ଅନ୍ତରରେ ଦିଆଯିବ । ଏହି ଗାଇଡ୍‌ଲାଇନ୍ କେବଳ ‘କୋଭିସିଲ୍ଡ’ ଟିକା ପାଇଁ ହିଁ ପ୍ରଯୁଜ୍ୟ ବୋଲି କେନ୍ଦ୍ର ତରଫରୁ କୁହାଯାଇଛି । ନ୍ୟାସନାଲ ଆଡଭାଇଜରୀ ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ୍ (ଏନ୍‌ଟିଏଜିଆଇ) ଏବଂ ଟିକା ଉପରେ ଗଠିତ ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ‘କୋଭିସିଲ୍ଡ’ର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ‘କୋଭିସିଲ୍ଡ’ ଟିକାର ଦୁଇ ଡୋଜ୍ ମଧ୍ୟରେ ୬ରୁ ୮ ସପ୍ତାହ ବ୍ୟବଧାନ ସଂକ୍ରମଣ ରୋକିବାରେ ଅଧିକ ପ୍ରଭାବୀ ହେବ ବୋଲି ବୈଜ୍ଞାନିକ ପ୍ରମାଣରୁ ସ୍ପଷ୍ଟ ହୋଇଥିବା ଏନ୍‌ଟିଏଜିଆଇ ଏବଂ ଟିକା ସମ୍ବନ୍ଧୀୟ ବିଶେଷଜ୍ଞ କମିଟି ତରଫରୁ କୁହାଯାଇଛି ।

‘କୋଭିସିଲ୍ଡ’ ଟିକାର ବ୍ୟବହାର ନୂଆ ଗାଇଡ୍ ଲାଇନ୍ ଅନୁସାରେ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ମାନଙ୍କୁ କୁହାଯାଇଛି ।
ଭାରତରେ ସମ୍ପ୍ରତି ଦୁଇଟି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି । ଏହି ଦୁଇଟି ଟିକା ହେଲା ଆଷ୍ଟ୍ରାଜେନେକା ଓ ସେରମ୍ ଇନ୍‌ଷ୍ଟିଚ୍ୟୁଟର ‘କୋଭିସିଲ୍ଡ’ ଏବଂ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ।

Comments are closed.