ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ପରମବୀର

ନୂଆଦିଲ୍ଲୀ – ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଳ ଦେଶମୁଖଙ୍କ ବିରୋଧରେ ଚାନ୍ଦା ଆଦାୟ ନେଇ ସାଂଘାତିକ ଅଭିଯୋଗ ଆଣିଥିବା ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂହ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଦେଶମୁଖଙ୍କ ବିରୋଧରେ ସେ କରିଥିବା ଅଭିଯୋଗର ସିବିଆଇ ଯାଞ୍ଚ୍ ଦାବି କରି ସେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ଏଥିସହ ତାଙ୍କୁ ପୋଲିସ କମିଶନର ପଦରୁ ବଦଳି କରାଯିବା ନେଇ ବିଜ୍ଞପ୍ତି ଉପରେ ରୋକ୍ ଲଗାଇବାକୁ ସେ ଦାବି କରିଛନ୍ତି ।
ପରମବୀର ଅଭିଯୋଗ କରିଥିଲେ ଯେ, ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖିବା ପାଇଁ ଗିରଫ ହୋଇଥିବା ପୋଲିସ ଅଧିକାରୀ ସଚିନ ବାଜେ ଗୃହମନ୍ତ୍ରୀ ଦେଶମୁଖଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି । ଦେଶମୁଖ ଫେବୃୟାରୀରେ ନିଜ ଘରେ କ୍ରାଇମ୍ ଇଣ୍ଟେଲିଜେନ୍ସ ୟୁନିଟର ଏପିଆଇ ସଚିନ ବାଜେ ଏବଂ ଏସିପି ସଞ୍ଜୟ ପାଟିଲଙ୍କ ସହ ଏକ ବୈଠକ କରିଥିଲେ । ଦେଶମୁଖ ସେମାନଙ୍କୁ ପ୍ରତି ମାସରେ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିବାକୁ କହିଥିଲେ ।

ମହାରାଷ୍ଟ୍ରର ଶାସକ ମହାବିକାଶ ଅଗାଡ଼ି ମେଣ୍ଟ ଦେଶମୁଖଙ୍କ ଏଭଳି କୌଣସି ବୈଠକ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ପରମବୀର ସୁପ୍ରିମକୋର୍ଟରେ ଦାୟର କରିଥିବା ନିଜ ପିଟିସନରେ ଦେଶମୁଖଙ୍କ ବାସଭବନର ସିସିଟିଭି ଯାଞ୍ଚ୍ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଗୃହମନ୍ତ୍ରୀ ପଦରେ ଥାଇ ଦେଶମୁଖ ବହୁ ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ । ପୋଲିସ୍ ଅଧିକାରୀଙ୍କ ବଦଳିରେ ମଧ୍ୟ ଦେଶମୁଖ ଦୁର୍ନୀତି କରୁଥିଲେ ବୋଲି ପରମବୀର ଅଭିଯୋଗ କରିଛନ୍ତି ।

 

Comments are closed.