କ୍ରିକେଟର ସବୁ ଫର୍ମାଟରୁ ପାର୍ଥିବ ପଟେଲଙ୍କ ଅବସର ଘୋଷଣା

ମୁମ୍ବାଇ- ୱିକେଟକିପର ବ୍ୟାଟସମ୍ୟାନ ପାର୍ଥିବ ପଟେଲ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଦୀର୍ଘ ୧୮ ବର୍ଷର କ୍ରିକେଟ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଗୁଜରାଟର ଏହି କ୍ରିକେଟର । ୩୫ ବର୍ଷିୟ ପାର୍ଥିବ ପଟେଲ ଭାରତ ପାଇଁ ୨୫ଟି ଟେଷ୍ଟ, ୩୮ଟି ଏକଦିବସୀୟ ମ୍ୟାଚ୍ ଓ ଦୁଇଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଘରୋଇ କ୍ରିକେଟରେ ସେ ଗୁଜରାଟ ପାଇଁ ୧୯୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି । ବିଭିନ୍ନ ଫ୍ରାଂଚାଇଜ୍ ପାଇଁ ସେ ଆଇପିଏଲ ବି ଖେଳିଛନ୍ତି । ୨୦୦୨ରେ ସେ ନିଜର ଆନ୍ତର୍ଜାତିକ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ ।

ମାତ୍ର ୧୭ ବର୍ଷ ବୟସରେ ୨୦୦୨ ମସିହାରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳଥିଲେ ପାର୍ଥିବ । ଏଥିସହ ସେ ଟେଷ୍ଟ ଖେଳିବାରେ ଭାରତର ସର୍ବକନିଷ୍ଠ ଟେଷ୍ଟ ୱିକେଟକିପର ହୋଇଥିଲେ । ମହେନ୍ଦ୍ର ସିଂହ ଧୋନି ଓ ଦୀନେଶ କାର୍ତିକଙ୍କ ଭଳି ୱିକେଟକିପର ବ୍ୟାଟସମ୍ୟାନ ଆସିଲା ପରେ ଜାତୀୟ ଦଳରେ ନିୟମିତ ସ୍ଥାନ ପାଇପାରି ନ ଥିଲେ ପଟେଲ୍ । ୨୦୧୬-୧୭ ରଣଜୀ ସିଜନରେ ପାର୍ଥିବଙ୍କ ନେତୃତ୍ୱରେ ଗୁଜରାଟ ରଣଜୀ ଟ୍ରଫି ଚାମ୍ପିଅନ ହୋଇଥିଲା ।

Comments are closed.