ଗଲ୍ ଟେଷ୍ଟ: ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଇଂଲଣ୍ଡ

ଗଲ୍ – ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ୭ ୱିକେଟରେ ଜିତିନେଇଛି । ଶ୍ରୀଲଙ୍କା ପ୍ରଦତ୍ତ ୭୪ ରନର ବିଜୟଲକ୍ଷ୍ୟ ଜବାବରେ ଚତୁର୍ଥ ଦିବସ ସୁଦ୍ଧା ଇଂଲଣ୍ଡ ୩୮ ରନରେ ୩ଟି ୱିକେଟ୍ ହରାଇ ଦେଇଥିଲା । ହେଲେ ଆଜି ପଞ୍ଚମ ଦିବସର ଦଳକୁ ବିଜୟ ପାଇଁ ଆଉ ମାତ୍ର ୩୬ ରନ୍ ଦରକାର ହେଉଥିଲା । ପ୍ରଥମ ଏକ ଘଣ୍ଟାର ଖେଳରେ ଦଳ ଔପଚାରିକତା ପୂରଣ କରିଥିଲା । ଜନି ବେୟାରଷ୍ଟୋ ୩୫ ଓ ନବାଗତ ଡାନ୍ ଲରେନ୍ସ ୨୧ ରନ୍ କରି ଅପରାଜିତ ରହି ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ । ଏହି ବିଜୟ ସହ ଇଂଲଣ୍ଡ ଦୁଇ ମ୍ୟାଚ୍ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ଶ୍ରୀଲଙ୍କା ପ୍ରଥମ ଇନିଂସରେ ମାତ୍ର ୧୩୫ ରନରେ ଅଲଆଉଟ୍ ହୋଇଥିଲା । ଏହାର ଜବାବରେ ଅଧିନାୟକ ଜୋ ରୁଟଙ୍କ ଦ୍ୱିଶତକ ସହାୟତାରେ ଇଂଲଣ୍ଡ ୪୨୧ ରନ୍ କରିଥିଲା । ଇଂଲଣ୍ଡ ପ୍ରଥମ ଇନିଂସରେ ବିଶାଳ ୨୮୬ ରନର ଅଗ୍ରଣୀ ହାସଲ କରିଥିଲା । ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିଥିଲେ ବି ଇଂଲଣ୍ଡ ପାଇଁ ସେଭଳି ଚାଲେଞ୍ଜିଂ ଟାର୍ଗେଟ୍ ଧାର୍ଯ୍ୟ କରିପାରିନଥିଲା । ଲାହିରୁ ଥିରିମାନେଙ୍କ ଶତକ ସହାୟତାରେ ଶ୍ରୀଳଙ୍କା ଦ୍ୱିତୀୟ ଇନିଂସରେ ୩୫୯ ରନ୍ କରିଥିଲା । ଫଳରେ ଇଂଲଣ୍ଡ ପାଇଁ କେବଳ ୭୪ ରନ୍ ଧାର୍ଯ୍ୟ ହୋଇଥିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ତରଫରୁ ଜାକ୍ ଲିଚ୍ ପାଞ୍ଚଟି ୱିକେଟ୍ ନେଇଥିଲେ । ସିରିଜର ଦ୍ୱିତୀୟ ଟେଷ୍ଟ ଶୁକ୍ରବାର ଠାରୁ ଗଲ୍ ରେ ହିଁ ଖେଳାଯିବ ।

Comments are closed.