କୃଷି ଆଇନ ବିବାଦ: ମଙ୍ଗଳବାର ସୁପ୍ରିମକୋର୍ଟ କମିଟିର ପ୍ରଥମ ବୈଠକ

ନୂଆଦିଲ୍ଲୀ – କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ପ୍ରଥମ ବୈଠକ ମଙ୍ଗଳବାର ବସିବ । ସ୍ଥାନୀୟ ପୁସା କ୍ୟାମ୍ପସରେ କମିଟିର ବୈଠକ ଅନୁଷ୍ଠିତ ହେବ । ବୈଠକରେ କେବଳ କମିଟିର ତିନି ସଦସ୍ୟଙ୍କ ମଧ୍ୟରେ ସୀମିତ ରହିବ । ଏଥିରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି କମିଟିର ସଦସ୍ୟ ତଥା ଶେତକାରୀ ସଂଗଠନ (ମହାରାଷ୍ଟ୍ର)ର ସଭାପତି ଅନିଲ ଘନୱତ କହିଛନ୍ତି ।

ଜାନୁୟାରୀ ୧୧ରେ ସୁପ୍ରିମକୋର୍ଟ ପରବର୍ତ୍ତୀ ଆଦେଶ ଯାଏଁ ତିନି କୃଷି ଆଇନ କାର୍ଯ୍ୟକାରିତାକୁ ସ୍ଥଗିତ ରଖିଥିଲେ । କୃଷି ଆଇନ ବିରୋଧରେ ପାଖାପାଖି ଦୁଇମାସ ଧରି ଚାଲିଥିବା ଚାଷୀ ଆନ୍ଦୋଳନର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏକ ଚାରି ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ । ତେବେ ଅନ୍ୟତମ ସଦସ୍ୟ ତଥା ଭାରତୀୟ କିଷାନ ୟୁନିୟନ ସଭାପତି ଭୂପିନ୍ଦର ସିଂ ମାନ୍ ଏହି କମିିଟିରୁ ଓହରି ଯାଇଥିଲେ । ଘନୱତଙ୍କ ସମେତ ଏହି କମିଟିର ଅନ୍ୟ ଦୁଇ ସଦସ୍ୟ ହେଉଛନ୍ତି କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି ଓ ପ୍ରମୋଦ କୁମାର ଯୋଶୀ । ଏହି କମିଟି ଉଭୟ କୃଷି ଆଇନକୁ ବିରୋଧ ଓ ସମର୍ଥନ କରୁଥିବା ଚାଷୀଙ୍କ ମତାମତ ସଂଗ୍ରହ କରିବ ଏବଂ ଦୁଇମାସ ପରେ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବ ।

Comments are closed.