ଗୁରୁବାର ଠାରୁ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ

ସିଡନୀ – ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଗୁରୁବାର ଠାରୁ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (ଏସସିଜି)ରେ ଆରମ୍ଭ ହେଉଛି । ଆଡିଲେଡ୍ ଲଜ୍ଜାକୁ ଭୁଲି ମେଲବୋର୍ଣ୍ଣରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିବା ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସିଡନୀରେ ମଧ୍ୟ ଜୟଯାତ୍ରା ଜାରି ରଖିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମାଙ୍କ ପ୍ରତ୍ୟାର୍ତ୍ତନ ଦଳକୁ ଆହୁରି ଉତ୍ସାହିତ କରିôତବା ବେଳେ ସିଡନୀରେ ୪୨ ବର୍ଷର ବିଜୟଶୂନ୍ୟ ଧାରାକୁ ଭାଙ୍ଗିବାକୁ ଭାରତ ଅଣ୍ଟା ଭିଡିଛି । ଶୁବମନ ଗିଲଙ୍କ ସହ ରୋହିତ ଇନିଂସ୍ ଓପନ୍ କରିବାକୁ ଥିବାବେଳେ ଯୁବ ପେସର ନବଦୀପ ସାଇନିଙ୍କ ପାଇଁ ତୃତୀୟ ଟେଷ୍ଟ ସ୍ୱତନ୍ତ୍ର ହେବ । ସେ ଏହି ମ୍ୟାଚରୁ ନିଜ ଟେଷ୍ଟ ପଦାର୍ପଣ କରିବେ ।

ସିଡନୀରେ ଗତ କିଛିବର୍ଷ ଧରି ଭାରତୀୟ ଦଳ ତରଫରୁ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲେ ବି ଏହି ଗ୍ରାଉଣ୍ଡରେ ଭାରତର ସେଭଳି ମଧୁର ସ୍ମୃତି ନାହିଁ । ଏଠାରେ ଭାରତ ମାତ୍ର ଗୋଟିଏ ଟେଷ୍ଟ ଜିତିଥିବା ବେଳେ ୬ଟି ହାରିଛି । ଶେଷଥର ପାଇଁ ୪୨ ବର୍ଷ ତଳେ ଭାରତ ଏଠାରେ ଏକ ଟେଷ୍ଟ ମ୍ୟାଚ୍ ଜିତିଥିଲା । ରାହାଣେଙ୍କ ଦଳ ଯଦି ଏଥର ଏଠାରେ ବିଜୟ ହାସଲ କରେ, ତେବେ ସିରିଜରେ ୨-୧ରେ ଅଗ୍ରଣୀ ସହ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବ । ଭାରତୀୟ କ୍ରିକେଟ୍ ଇତିହାସରେ ଏହା ଏକ ଗୌରବମୟ ମୁହୂତ୍ତହେବ । ଏଭଳି ଉପଲବ୍ଧି ଆହୁରି ସ୍ୱତନ୍ତ୍ର ହେବ । କାରଣ ଏକ ଶକ୍ତିଶାଳୀ ଅଷ୍ଟ୍ରେଲୀୟ ଦଳ ବିପକ୍ଷରେ ନିୟମିତ ଅଧିନାୟକ ବିରାଟ କୋହଲି ଓ ଦୁଇ ସିନିୟର ପେସରଙ୍କ ବିନା ଭାରତ ଖେଳୁଛି ।

ଭାରତୀୟ ଏକାଦଶ: ରୋହିତ ଶର୍ମା, ଶୁବମନ ଗିଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, ନବଦୀପ ସାଇନି ।

ଅଷ୍ଟ୍ରେଲିଆ: ଡେଭିଡ୍ ୱାର୍ଣ୍ଣର, ମାଥ୍ୟୁ ୱେଡ୍‌, ୱିଲ ପୁକୋସ୍କି, ମାର୍ନସ୍ ଲାବୁସେନ୍‌, ଷ୍ଟିଭ୍ ସ୍ମିଥ୍‌, ଟ୍ରାଭିସ୍ ହେଡ୍‌, କାମେରନ ଗ୍ରୀନ୍‌, ଟିମ୍ ପେନ୍ (ଅଧିନାୟକ/ୱିକେଟକିପର), ନାଥନ୍ ଲାୟନ୍‌, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଜୋସ୍ ହାଜଲଉଡ୍‌, ମାର୍କସ୍ ହାରିସ୍‌, ମିଚେଲ ସ୍ୱେପସନ୍‌, ମିଚେଲ ନିସେର ।

Comments are closed.