ଚତୁର୍ଥ ଟେଷ୍ଟ: ଲାବୁସେନଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୨୭୪/୫

ବ୍ରିସବେନ୍ – ଭାରତ-ଅଷ୍ଟ୍ରେଲିଆ ସିରିଜ୍ ନିର୍ଣ୍ଣାୟକ ଚତୁର୍ଥ ଟେଷ୍ଟ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଉଦୀୟମାନ ବ୍ୟାଟ୍ସମ୍ୟାନ୍ ମାର୍ନସ ଲାବୁସେନଙ୍କ ଶତକ ସତ୍ତ୍ୱେ ଭାରତର ଅନଭିଜ୍ଞ ବୋଲିଂ ଆକ୍ରମଣ ପ୍ରଶଂସନୀୟ ପ୍ରଦର୍ଶନ କରି ଘରୋଇ ଦଳର ୫ ୱିକେଟ୍ ଖସାଇବାରେ ସଫଳ ହୋଇଛନ୍ତି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୫ ୱିକେଟ୍ ହରାଇ ୨୭୪ ରନ୍ କରିଛି ।

ଲାବୁସେନ ଚମତ୍କାର ୧୦୮ ରନ୍ କରି ଆଉଟ୍ ହୋଇଛନ୍ତି । ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ଟିମ୍ ପେନ୍ ୩୯ ଓ କାମେରନ୍ ଗ୍ରୀନ୍ ୨୮ ରନ୍ କରି ଅପରାଜିତ ରହିଛନ୍ତି । ଭାରତ ପକ୍ଷରୁ ନିଜ ଡେବ୍ୟୁ ଟେଷ୍ଟ ଖେଳୁଥିବା ଟି.ନଟରାଜନ ପ୍ରଭାବୀ ପ୍ରଦର୍ଶନ ପୂର୍ବକ ୨ଟି ୱିକେଟ୍ ନେଇଥିବା ବେଳେ ଆଉ ଜଣେ ଡେବୁଟାଣ୍ଟ୍ ୱାଶିଂଟନ୍ ସୁନ୍ଦର ବି ୱିକେଟ୍ ପାଇଛନ୍ତି । ସେ ଷ୍ଟିଭ୍ ସ୍ମିଥ୍‌(୩୬)ଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି ।

ପୂର୍ବରୁ ଆଘାତ ସମସ୍ୟାରେ ଛନ୍ଦି ହୋଇଥିବା ଭାରତକୁ ଆଜି ଆଉ ଏକ ଝଟକା ଲାଗିଛି । ଯୁବ ପେସର ନବଦୀପ ସାଇନି ମାତ୍ର ୭.୫ ଓଭର ବୋଲିଂ କରିବା ପରେ ମାଂସପେଶୀ ଟାଣି ହୋଇଯିବାରୁ ପଡିଆ ଛାଡ଼ିଥିଲେ । ସେ ଆଉ ପଡିଆକୁ ଫେରିନଥିଲେ । ସ୍କାନ୍ ପାଇଁ ତାଙ୍କୁ ପରେ ମେଡିକାଲ ନିଆଯାଇଥିଲା । ସ୍କାନ୍ ରିପୋର୍ଟ ମିଳିବା ପରେ ତାଙ୍କ ଆଘାତ ସମସ୍ୟା କେତେ ଗୁରୁତର ତାହା ସ୍ପଷ୍ଟ ହେବ । ଭାରତୀୟ ଦଳରେ ଆଜି ଏକାଧିକ ପରିବର୍ତ୍ତନ ହୋଇଥିଲା । ଯଶପ୍ରୀତ ବୁମରା ଓ ରବିଚନ୍ଦ୍ରନ ଅଶ୍ୱିନ୍ ଆଘାତ କାରଣରୁ ବାଦ୍ ପଡିଥିଲେ । ବୁମରାଙ୍କ ସ୍ଥାନରେ ନଟରାଜନ ଓ ଜାଡେଜାଙ୍କ ସ୍ଥାନରେ ୱାଶିଂଟନ ନିଜ ଟେଷ୍ଟ ପଦାର୍ପଣ କରିଛନ୍ତି । ସେହିପରି ହନୁମା ବିହାରୀଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ ଖେଳିଥିବା ବେଳେ ଅଶ୍ୱିନଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁର ଭାରତୀୟ ଏକାଦଶରେ ସ୍ଥାନ ପାଇଛନ୍ତି ।

Comments are closed.