ଚାଷୀ ଆନ୍ଦୋଳନକୁ ପୁରିଲା ୧୦୦ ଦିନ, ଆଜି କେଏମ୍‌ପି ଏକ୍ସପ୍ରେସ୍‌ୱେ ଅବରୋଧ କରିବେ ଚାଷୀ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ୧୦୦ ଦିନ ପୂରିଛି । କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ନଥିବା ବେଳେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ କୃଷକ ସଂଗଠନ ଗୁଡିକ ନିଷ୍ପତ୍ତି ନେଇଛନ୍ତି ।
ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ଆଜି ୫ ଘଣ୍ଟା କେଏମ୍‌ପି ଏକ୍ସପ୍ରେସ୍‌ୱେକୁ ଅବରୋଧ କରିବାକୁ ଘୋଷଣା କରିଛନ୍ତି । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କେଏମ୍‌ପି ଏକ୍ସପ୍ରେସ୍‌ୱେରେ ଧାରଣା ଦେବେ ଚାଷୀ । ସବୁ ଟୋଲ ପ୍ଲାଜା ବି ବନ୍ଦ କରାଯିବ । ତେବେ ଏହି ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ବୋଲି ଚାଷୀ ସଂଗଠନ କହିଛନ୍ତି ।

କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ୧୦୦ ଦିନ ପୂର୍ତ୍ତି ଅବସରରେ କଳା ପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଚାଷୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ସିଂଘୁ ସୀମାରୁ ଚାଷୀମାନେ କୁଣ୍ଡଳି ପହଞ୍ଚି କେଏମ୍‌ପି ଏକ୍ସପ୍ରେସ୍‌ୱେରେ ରାସ୍ତା ଅବରୋଧ କରିବେ । ଏହି ରାଜପଥରେ ଥିବା ସବୁ ଟୋଲ୍ ପ୍ଲାଜାକୁ ବି କବ୍‌ଜା କରିବେ । ସେପଟେ ଗାଜିପୁର ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀ ଡାସନା ଟୋଲ୍ ଯାଇ ଧାରଣା ଦେବେ । ଟିକରି ସୀମାରୁ ନିକଟସ୍ଥ ବାହାଦୂରଗଡ଼ ସୀମା ବ୍ଲକ୍ କରାଯିବ । ଏଥିସହ ଶାହଜାହାଁପୁର ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକ ଗୁରୁଗ୍ରାମ-ମାନେସର ରୁଟ୍‌ରେ ରାସ୍ତା ଅବରୋଧ କରିବେ ।

Comments are closed.