ଚୀନ୍ ତୁଳନାରେ ଭାରତରେ ନୂଆବର୍ଷରେ ଜନ୍ମ ନେଇଛନ୍ତି ଅଧିକ ଶିଶୁ

ନୂଆଦିଲ୍ଲୀ –ଜନସଂଖ୍ୟା ମାମଲାରେ ବିଶ୍ୱରେ ଚୀନ୍ ପଛକୁ ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ତେବେ ନୂଆବର୍ଷରେ ଚୀନ୍ ତୁଳନାରେ ଭାରତରେ ଅଧିକ ଶିଶୁ ଜନ୍ମ ନେଇଛନ୍ତି । ଜାନୁୟାରୀ ୧ରେ ଭାରତରେ ପ୍ରାୟ ୬୦ ହଜାର ଶିଶୁ ଜନ୍ମ ହୋଇଛନ୍ତି । ଭାରତ ତୁଳନାରେ ଚୀନରେ ନୂଆବର୍ଷରେ ଅପେକ୍ଷାକୃତ କମ୍ ଶିଶୁ ଜନ୍ମ ନେଇଥିଲେ । ୟୁନିସେଫ୍ ତଥ୍ୟ ଅନୁଯାୟୀ ଏହି ବର୍ଷର ପ୍ରଥମ ଦିନ ଅର୍ଥାତ୍ ଜାନୁୟାରୀ ପହିଲାରେ ଭାରତରେ ୫୯,୯୯୫ ଶିଶୁ ଜନ୍ମ ହୋଇଥିଲେ । ଅନ୍ୟପଟେ ଚୀନରେ ଏହି ସଂଖ୍ୟା ବେଶ୍ କମ୍ ଥିଲା । ଚୀନ୍‌ରେ ନୂଆବର୍ଷରେ କେବଳ ୩୫,୬୧୫ ଶିଶୁ ଜନ୍ମ ନେଇଥିଲେ ।

ୟୁନିସେଫ୍ ଆକଳନ ମୁତାବକ ନୂଆବର୍ଷ ଦିନ ସାରା ବିଶ୍ୱରେ ୩ ଲକ୍ଷ ୭୧ ହଜାର ଶିଶୁ ଜନ୍ମ ହୋଇଥିଲେ । ଏଥିମଧ୍ୟରୁ ୫୨% ଶିଶୁ କେବଳ ୧୦ଟି ଦେଶରେ ଜନ୍ମ ନେଇଛନ୍ତି । ଏହି୧୦ ଦେଶ ମଧ୍ୟରେ ଭାରତରେ ସର୍ବାଧିକ ପ୍ରାୟ ୬୦ ହଜାର ଶିଶୁ ନୂଆବର୍ଷରେ ଜନ୍ମ ହୋଇଥିଲେ । ତେବେ ଏହି ସଂଖ୍ୟା ଗତବର୍ଷ ତୁଳନାରେ କମ୍ । ଗତବର୍ଷ ଜାନୁୟାରୀ ପହିଲାରେ ଭାରତରେ ୬୮ ହଜାର ଶିଶୁ ଜନ୍ମ ଗ୍ରହଣ କରିଥିଲେ ।

ଏଇବର୍ଷ ଜାନୁୟାରୀ ୧ରେ ଶିଶୁ ଜନ୍ମ ମାମଲାରେ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନ୍ ଦ୍ୱିତୀୟ ଏବଂ ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି । ନୂଆବର୍ଷରେ ଚୀନ୍‌ରେ ୩୫,୬୧୫ ଏବଂ ପାକିସ୍ତାନରେ ୨୧,୪୩୯ ଶିଶୁ ଜନ୍ମ ନେଇଥିଲେ । ଏହି ବର୍ଷ ଜନ୍ମ ଗ୍ରହଣ କରିଥିବା ଶିଶୁଙ୍କ ଆୟୁ ୮୪ ବର୍ଷ ହେବ ବୋଲି ୟୁନିସେଫ୍ ରିପୋର୍ଟରେ ଆକଳନ କରାଯାଇଛି ।

Comments are closed.