ଭାରତ ବାୟୋଟେକ୍ ଟିକାକୁ ନେଇ ଉଠିଲା ପ୍ରଶ୍ନ, ଅସମ୍ପୂର୍ଣ୍ଣ ଟ୍ରାଏଲ ତଥ୍ୟ ଭିତ୍ତିରେ ଅନୁମତି ଦିଆଯାଇଥିବା ଅଭିଯୋଗ

ନୂଆଦିଲ୍ଲୀ – ଭାରତରେ ଜରୁରୀ ବ୍ୟବହାର ପାଇଁ ଦୁଇ କରୋନା ଟିକା ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ’କୁ ଚୂଡାନ୍ତ ମଞ୍ଜୁରି ମିଳିଛି । ତେବେ ଦେଶୀ ଟିକା ଭାବେ ବିବେଚିତ ‘କୋଭକ୍ସିନ’କୁ ମଞ୍ଜୁରି ପ୍ରଦାନ କରାଯିବା ନେଇ ପ୍ରଶ୍ନ ଉଠିଛି । ଆଇସିଏମ୍‌ଆର ସହଭାଗିତାରେ ଭାରତ ବାୟୋଟେକ୍ ‘କୋଭାକ୍ସିନ’ ଟିକା ପ୍ରସ୍ତୁତ କରୁଛି । ଜରୁରୀ ବ୍ୟବହାର ପାଇଁ ଏହି ଟିକାକୁ ମିଳିଥିବା ସବୁଜ ସଙ୍କେତ ନେଇ ‘ଅଲ୍ ଇଣ୍ଡିଆ ଡ୍ରଗ୍ସ ଆକ୍ସନ୍ ନେଟୱର୍କ (ଏଆଇଡିଏଏନ୍‌)’ ନାମକ ଏକ ସଂସ୍ଥା ଆଶ୍ଚର୍ଯ୍ୟ ପ୍ରକାଶ କରିଛି । ଏହି ଟିକାର ଏବେ ଟ୍ରାଏଲ୍ ଚାଲିଛି । ସୁରକ୍ଷା ଦୃଷ୍ଟିରୁ ଏହା କେତେ ଦୂର ପ୍ରଭାବୀ ତାହା ଜଣାପଡି ନାହିଁ । ଏହା ସତ୍ତ୍ୱେ ଏହି ଟିକାକୁ କିପରି ମଞ୍ଜୁରି ମିଳିଲା ବୋଲି ‘ଏଆଇଡିଏଏନ୍‌’ ପ୍ରଶ୍ନ କରିଛି । ‘କୋଭାକ୍ସିନ’ ଟିକାର ଟ୍ରାଏଲ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ତଥ୍ୟ ଡିସିଜିଆଇ ନିକଟରେ ଦାଖଲ ହୋଇନଥିଲା । ଏହି ଟିକାର ଟ୍ରାଏଲ୍ ସରିନଥିବା ବେଳେ ଏହାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବା ଆଶ୍ଚର୍ଯ୍ୟଜନକ । ଭାରତୀୟ ଡ୍ରଗ୍ସ ନିୟାମକ ଏହି ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ବୋଲି ‘ଏଆଇଡିଏଏନ୍‌’ ଦାବି କରିଛି ।

ସୂଚନାଯୋଗ୍ୟ ଟିକା ଉପରେ ଗଠିତ ବିଶେଷଜ୍ଞ କମିଟିର ସୁପାରିସ ଭିତ୍ତିରେ ‘କୋଭାକ୍ସିନ’କୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ମଞ୍ଜୁରି ଦେଇଛନ୍ତି । କିନ୍ତୁ ଏହି ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଜାରି ରହିଛି । ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ନଭେମ୍ବର ୧୬ରୁ ଆରମ୍ଭ ହୋଇଥିଲା । ତୃତୀୟ ପର୍ଯ୍ୟାୟ ଟ୍ରାଏଲର ଫଳାଫଳ ମିଳିନଥିବା ସତ୍ତ୍ୱେ ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି ।

Comments are closed.