ଚୀନ୍ ନାଗରିକଙ୍କ ଯାତ୍ରା ଉପରେ କଟକଣା ଲଗାଇବାକୁ ବିମାନ କମ୍ପାନୀଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ – ଚୀନ୍‌କୁ କଡ଼ା ଜବାବ ଦେଇଛି ଭାରତ । ଯେସାକୁ ତେସା ନୀତିରେ ଚୀନ୍ ନାଗରିକଙ୍କୁ ଭାରତ ନ ଆଣିବାକୁ କେନ୍ଦ୍ର ସରକାର ସବୁ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଏକ ଅନୌପଚାରିକ ନିର୍ଦ୍ଦେଶ ହୋଇଥିଲେ ବି ଚୀନ୍‌କୁ ଏକ କଡ଼ା ସନ୍ଦେଶ ଦେଇଛି ଭାରତ । କିଛିଦିନ ତଳେ ଭାରତୀୟ ନାଗରିକଙ୍କ ଯାତ୍ରା ଉପରେ ଚୀନ୍ ପ୍ରତିବନ୍ଧକ ଲଗାଇଥିଲା । ଏହାର ଜବାବ ସ୍ୱରୂପ ଭାରତ ଏଭଳି ପଦକ୍ଷେପ ନେଇଛି । ଭାରତ ଓ ଚୀନ୍ ମଧ୍ୟରେ ବର୍ତ୍ତମାନ ବିମାନ ସେବା ବନ୍ଦ ରହିଛି । ଚୀନ୍ ନାଗରିକ ଏବେ ଅନ୍ୟ ଦେଶ ଦେଇ ଭାରତ ଆସୁଛନ୍ତି । ଅର୍ଥାତ୍ ଯେଉଁ ଦେଶ ସହ ଭାରତର ଏୟାର ବବଲ୍ ଚୁକ୍ତି ହୋଇଛି ସେହି ଦେଶ ଦେଇ ଚୀନ୍ ନାଗରିକ ଭାରତ ଆସୁଛନ୍ତି । ଉକ୍ତ ଦେଶଗୁଡିକରେ ରହୁଥିବା ଚୀନ୍ ନାଗରିକମାନେ ଜରୁରୀ କାର୍ଯ୍ୟ କିମ୍ବା ବାଣିଜ୍ୟ ବେପାର ପାଇଁ ଭାରତ ଆସୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ ସପ୍ତାହରୁ ଉଭୟ ଭାରତୀୟ ଓ ବିଦେଶୀ ବିମାନ କମ୍ପାନୀଙ୍କୁ ଚୀନ୍ ନାଗରିକଙ୍କୁ ଭାରତ ନ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତରେ ଏବେ ପର୍ଯ୍ୟଟକ ଭିସା ମଧ୍ୟ ସସପେଣ୍ଡ୍ କରାଯାଇଛି । ତେବେ ବିଦେଶୀ ନାଗରିକଙ୍କୁ ଜରୁରୀ କାର୍ଯ୍ୟ କିମ୍ବା ଅଣପର୍ଯ୍ୟଟକ ଭଳି ନିର୍ଦ୍ଦିଷ୍ଟ ବର୍ଗରେ ଭାରତ ଆସିବାକୁ ଅନୁମତି ମିଳୁଛି ।

Comments are closed.